ଦେବାଳୟ ସୁରକ୍ଷା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ : ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିରକୁ ନେଇ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ବିକାଶ ସାଙ୍କ ଦେବାଳୟ କମିଟିର ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକକୁ ପ୍ରଶାନ୍ତ ମହାକୁର ପରିଚାଳନା କରିଥିଲେ । ଗତ ୩ ମାସ ତଳେ ଜିଲ୍ଲା ପ୍ରଶାସନକୁ ୮ ଦଫା ଦାବୀ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଯାଏଁ କୌଣସି ନିଷ୍ପତ୍ତି ନ ନେଇଥିବାରୁ ଆଗାମୀ ୨୮ ତାରିଖ ସୋମବାର ଦିନ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇ ଅଧିକାରୀଙ୍କୁ କମିଟି ସାକ୍ଷାତ କରିବାର ଯୋଜନା ରହିଛି । ଆଜିର ବୈଠକରେ ସମଲେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ବିଳମ୍ବ ହେଉଥିବା ବେଳେ ଏ ଯାଏଁ ପ୍ରଶାସନ ଏ ସଂପର୍କରେ କିଛି ସୂଚନା ଦେଇନାହିଁ । ତାହା କେବେ ପୁର୍ଣ୍ଣ ହେବ, ଭକ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଥିବା ବେଳେ ମନ୍ଦିରର ଜାଗା ଚିହ୍ନଟ ହେବ, ପାର୍କିଂ ସ୍ଥଳ, ଜବରଦଖଲ ଉଚ୍ଛେଦ କେବେ ହେବ, ତାହା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଜିଲ୍ଲା ପ୍ରଶାସନ ଦେବାଳୟ ସୁରକ୍ଷା କମିଟିକୁ ଏସବୁ କାମରେ ସାମିଲ୍‌ କରାଯିବାକୁ ଦାବୀ ହୋଇଥିଲା । ପାଟଣେଶ୍ୱରୀ ମନ୍ଦିରରେ ଦୀର୍ଘ ୨ ବର୍ଷ ହେଲାଣି ମନ୍ଦିରର ମୁଖ୍ୟ କବାଟ ଭାଙ୍ଗି ଯାଇଛି ଓ ଗର୍ଭଗୃହରେ ପାଣି ଗଳୁଛି, ଗୋପାଳଜୀ ମନ୍ଦିର ଗର୍ଭଗୃହରେ ମଧ୍ୟ ପାଣି ଲିକ୍‌ ହେଉଛି ଏବଂ ଦେବୋତ୍ତର ବିଭାଗର ଅଫିସ ଗୃହ ଏକ ବିପଦପୂର୍ଣ୍ଣ ସ୍ଥାନରେ ଅଛି ଏବଂ ପୁଜକଙ୍କ ଗୃହ ମଧ୍ୟ ବିପଦମୁଖରେ ଅଛି । କେଉଁ କେଉଁ ବିଭାଗରୁ କେତେ ଅର୍ଥ ଆସିଛି, ତାହାର ହିସାବ ଜନସାଧାରଣଙ୍କୁ ପ୍ରଦାନ କରାଯାଉ ବୋଲି ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଶୁଭମ ଅଗ୍ରୱାଲ, ବିନୋଦ କାଲସାଏ, କାହ୍ନା ଶତପଥି, ଅଭିଷେକ ଦାଶ, ଅଙ୍କୁଶ ପାଣ୍ଡିଆ, ସଂଜୟ ସାହୁ, ସୋମନାଥ ମିଶ୍ର, ପ୍ରଶାନ୍ତ ନାଏକ, ମନୋରଂଜନ ସାହୁ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.