ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅହେତୁକ ତୈଳ ଦର ବୃଦ୍ଧି ସାରା ଦେଶରେ ତୀବ୍ର ଜନଅସନ୍ତୋଷ ବୃଦ୍ଧି କରିଛି । ପିସିସିର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଏହାର ପ୍ରତିବାଦରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଯାଇଛି । ସେହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ଠାରେ ଛାତ୍ର କଂଗ୍ରେସ ତରଫରୁ ତୈଳଦର ବୃଦ୍ଧି ବିରୁଦ୍ଧରେ ନାରାବାଜି କରାଯିବା ସହିତ ଜନସାଧାରଣଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦରଦାମ ନିୟନ୍ତ୍ରଣ କରିବା ସ୍ୱପ୍ନ ଦେଖାଇ ମୋଦୀ ସରକାର କେନ୍ଦ୍ରର ଗାଦି ହାତେଇ ଥିଲେ । କିନ୍ତୁ ମୋଦୀ ସରକାର ଆସିବା ଦିନଠୁଁ ଦେଶରେ ବିଭିନ୍ନ ଅତ୍ୟାବଶକୀୟ ସମାଗ୍ରୀର ଦରଦାମ ଆକଶଛୁଆଁ ହୋଇଛି । ବିଶ୍ୱ ବଜାରରେ ତୈଳଦର ସର୍ବନିମ୍ମ ସ୍ତରରେ ଥିବା ବେଳେ ମଧ୍ୟ ଦେଶବାସୀମାନଙ୍କ ଠାରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଜଣା ଆଦାୟ କରାଯାଉଛି । ଅନ୍ୟ ପଟେ ୨୦୧୪ ମସିହାରେ ୭୦ ଟଙ୍କା ଥିବା ପେଟ୍ରୋଲ ଏବେ ଶତକ ପାର କରିଥିବା ବେଳେ ୬୦ଟଙ୍କା ଥିବା ଡିଜେଲ ୧୦୦ ଛୁଇଁଛି । ସେହିପରି ୪୦୦ ଟଙ୍କାରେ ମିଳୁଥିବା ରନ୍ଧନ ଗ୍ୟାସ ମୂଲ୍ୟ ଏବେ ୮୦୦ ପାର କରିଛି । କରୋନା ମହାମରୀରେ ସର୍ବସ୍ୱ ହରାଇଥିବା ଗରିବ ଜନତା ଉପରେ ମୋଦୀ ସରକାର ୨୦୧୪ ଅପେକ୍ଷା ପେଟ୍ରୋଲର ଉପ୍ତାଦନ ଶୁକ୍ଲ ୨୪୭% ବୃଦ୍ଧି କରିଥିବା ବେଳେ ଡିଜେଲରେ ଅବିଶ୍ୱାସନୀୟ ଭାବେ ୭୯୫% ଉତ୍ପାଦନ ଶୁକ୍ଳ ଲଗାଇଛି, ଯାହା ସାରା ବିଶ୍ୱରେ ସର୍ବାଧିକ । ତୈଳଦର ବୃଦ୍ଧି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ଉପରେ ତାର ପ୍ରଭାବ ପକାଇଛି । ଫଳରେ ଚାଉଳ, ଡାଲି, ଖାଇବା ତେଲ, ପନିପରିବା ସବୁ ଜଣେ ସାଧାରଣ ବର୍ଗ ଖାଉଟିଙ୍କ ପହଞ୍ଚରୁ କାହିଁ ଦୁରରେ ରହିଛି । ଅନ୍ୟ ପଟେ କେନ୍ଦ୍ର ସରକାର କେବଳ ନିଜ ଖଜଣୀ ଆଦୟରେ ବ୍ୟସ୍ତ ରହିଛନ୍ତି । ବିଗତ ସାତ ବର୍ଷରେ କେନ୍ଦ୍ର ସରକାର କେବଳ ତୈଳରୁ ପ୍ରାୟ ୨୫ ଲକ୍ଷ କୋଟି ଖଜଣା ଆଦାୟ କରିଥିବା ଏକ ସର୍ଭେରୁ ଜଣାପଡିଛି ବୋଲି ଛାତ୍ର କଂଗ୍ରେସ କହିଛି । ତେବେ କରୋନା କାଳକୁ ମହଙ୍ଗା ମାଡ ଦେଶବାସୀଙ୍କୁ ଅସହ୍ୟ ହୋଇ ପଡୁଛି । କେନ୍ଦ୍ର ସରକାର ଯଥା ଶୀଘ୍ର ତୈଳଦର କମ ନକଲେ ଆଗକୁ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ଏବଂ ସେଥି ପାଇଁ ଖୋଦ୍ ସରକାର ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ଚେତାଇ ଦେଇଛି । ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଜିତ ମହାନନ୍ଦ, ଟୁଲୁ ସେନ, ନିରଞ୍ଜନ ମିଶ୍ର, ସୁଭେନ୍ଦୁ ସାହୁ, ଅଞ୍ଚଳ ପଣ୍ଡା, ଗୌରବ ଶର୍ମା, ସୁରେଶ ସିଂ, ଶଙ୍କର ବିଶି, ଅମିତ ମିଶ୍ର, ସୁଜିତ କୁମ୍ଭାର, ଅମିତ କୁମ୍ଭାର, ରମଣୀ ନାୟକ, ଅଜୟ ନାଗ, ମିଲୁ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post