ଲୋକଗୀତ ଓ ଲୋକନୃତ୍ୟରେ ଝୁମିଲେ ଦର୍ଶକ – ସୁକତେଲ ମହୋତ୍ସବର ତୃତୀୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ତୃତୀୟ ଦିବସର ସଭାରେ ସଭାପତିତ୍ୱ କରିଥିଲେ ହାଡ଼ିବନ୍ଧୁ ତ୍ରିପାଠୀ । ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ନବୀନ କୁଅଁର, ବରିଷ୍ଠ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, କଳା ସଂଗଠକ ତଥା ସମାଜସେବୀ ବିନୋଦ କାଲସାଏ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶିବ ପ୍ରସାଦ ସାହୁ । ଏହି ଅବସରରେ ଦୁଲଦୁଲି କଳା ପରିଷଦର ସମ୍ପାଦକ ବାସୁଦେବ ସାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉତ୍ସବରେ ଅପରାହ୍ନ ଅଧିବେଶନରେ ବରଗଡ଼, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାର ଦଣ୍ଡ କଳାକାରମାନେ ଦଣ୍ଡ ପରିବେଷଣ କରିଥିଲେ । ରୁମୁକୁ ଝୁମାନା, ସୁବର୍ଣ୍ଣପୁର ଓ ସ୍ୱର୍ଣ୍ଣଶିଖା ଗ୍ରୁପର କଳାକାରମାନେ ଲୋକଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । କଂସ ଦରବାରରେ କଂସ ଅଭିନୟ କରୁଥିବା ଶୁଭମ ଘିବେଲା ଓ ତାଙ୍କ ସହ କଳାକାରମାନଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ରୁମକୁ ଝୁମାନାର ସଙ୍ଗୀତର ତାଳେ ତାଳେ ଦର୍ଶକମାନେ ନାଚିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁକତେଲ ମହୋତ୍ସବ କମିଟିର ସଦସ୍ୟ ଉମେଶ କୁମାର ବିଶି । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ, ପ୍ରସନ୍ନ ଗହୀର, ସତ୍ୟ ଗହୀର, ଦେବାଶିଷ ପାଣ୍ଡିଆ, ସୁରେଶ ବୁଡେକ ଓ ହରେକୃଷ୍ଣ ବୁଡେକ । ଆଖପାଖ ଅଞ୍ଚଳର ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.