ଦରମା ବୃଦ୍ଧି ଦାବୀ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସମୂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦରମା ବୃଦ୍ଧି ଦାବୀ ନେଇ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଲ୍‌ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ବଲାଙ୍ଗିର ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାମାନେ । ସେମାନଙ୍କ କହିବା ଅନୁସାରେ ସେମାନେ ୨୦୧୩ ମସିହାରୁ ସ୍ୱଳ୍ପ ପାରିଶ୍ରମିକରେ ଏକ ଘରୋଇ କଂପାନୀ ଦ୍ୱାରା ୧୦୮ ଆମ୍ବୁଲାନ୍ସରେ ନିଷ୍ଠାର ସହ କାମ କରି ଆସୁଛନ୍ତି । ବନ୍ୟା, ବାତ୍ୟା, କରୋନା ମହାମାରୀ ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ କାମ କରି ଆସୁଥିଲେ ମଧ୍ୟ ସେମାନଙ୍କ ଦରମା ବୃଦ୍ଧି ହେଉନାହିଁ । କ୍ଷୋଭର ସହ ସେମାନେ କହିଛନ୍ତି ଯେ, ପ୍ରାୟ ୬ ମାସ ପୂର୍ବରୁ ମହାସଂଘର ସମସ୍ତ ଜିଲ୍ଲା କର୍ମକର୍ତ୍ତାମାନେ ୬ ଦଫା ଦାବୀ ପତ୍ର ନେଇ ସେମାନଙ୍କ ଦୁଃଖ ଜଣାଇଥିଲେ । ସେତେବେଳେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଘରୋଇ କଂପାନୀ ଦରମା ବଢ଼ିବାର ଆଶ୍ୱାସନା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦରମା ବଢ଼ିନାହିଁ । ଏଣୁ ତୁରନ୍ତ ସେମାନଙ୍କ ଦରମା ବଢ଼ାଯିବା ସହ ଅନ୍ୟାନ୍ୟ ଦାବୀ ପୂରଣ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ।

Leave A Reply

Your email address will not be published.