jayashree

ବିଦେଶୀ ଲୋକ ସଂସ୍କୃତି ଗବେଷକଙ୍କ ଡାଲଖାଇ ଡଙ୍ଗର ପରିଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ସ୍ଥିତ ଡାଲଖାଇ ଡଙ୍ଗରକୁ ବିଦେଶୀ ଲୋକ ସଂସ୍କୃତି ଗବେଷକ ପରିଦର୍ଶନ କରିଛନ୍ତି । ସୂଚନା ମୁତାବକ, ଲୋଇସିଂହା ଅଞ୍ଚଳର ବିଶିଷ୍ଟ ସଂସ୍କୃତି ନିର୍ଦ୍ଦେଶକ ସାଲେଗ୍ରାମ ହୋତା ଏହି ଡଙ୍ଗରକୁ ଆସି ଡାଲଖାଇ ଡଙ୍ଗର ଉପରେ ସମ୍ୟକ୍ ଗବେଷଣା କରି ମତବ୍ୟକ୍ତ କରିବା ସହିତ ଡାଲଖାଇ ସଂସ୍କୃତି ଉପରେ ଏହି ଡଙ୍ଗରର ସାମଞ୍ଜସ୍ୟ ରହିଛି ବୋଲି କହିଥିଲେ । ତେବେ ଆଜି ଆୟରଲ୍ୟାଣ୍ଡ ସ୍ଥିତ କୋଲାଇଷ୍ଟେନା ହୋଲସ୍ପୋଇଲେ କୋରକାଇଘ୍ ୟୁନଭରସିଟି କଲେଜ୍ କର୍କର ଶିକ୍ଷା ସଂସ୍କୃତି ବିଭାଗ ଦକ୍ଷିଣ ଏସିଆ ମୁଖ୍ୟ ଡଃ. ହବ୍ ଲିଡିଆ ଗୁଜ ଏହି ଡଙ୍ଗରକୁ ପରିଦର୍ଶନ କରିଛନ୍ତି । ଡଙ୍ଗରର ମଧ୍ୟ ସ୍ଥଳରେ ଥିବା ୪ଟି ପଥର ସନ୍ଧିରେ ପୂଜା ପାଉଥିବା ଗୋଣ୍ଡ ସମାଜର ସାତପାଟ ମଧ୍ୟରୁ ଅନ୍ଧାରୀପାଟ ଉପରେ ସେ ଗବେଷଣା କରିଥିଲେ । ଏଥି ସହିତ ପ୍ରାକୃତିକ ପରିବେଶ, ଜନଜାତି ସଂସ୍କୃତି, ଲୋକ ସଂସ୍କୃତି ଉପରେ ବିଭିନ୍ନ ଦିଗ ଉପରେ ପଚାରି ବୁଝିଥିଲେ । ଏହି ଡଙ୍ଗରର ପ୍ରାକୃତିକ ଶୋଭାରାଶି ସହିତ ପଥର ଉପରେ ପଥରର ଗଠନ ଶୈଳୀକୁ ଦେଖି ସେ ବିମୋହିତ ହୋଇଯାଇଥିଲେ । ଏ ଉପରେ ରାଜ୍ୟ ଓ କେନ୍ଦ୍ରର ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରିବା ପାଇଁ ମଧ୍ୟ ମତବ୍ୟକ୍ତ କରିଥିଲେ । ଏହା ସହ ସ୍ଥାନୀୟ ଏଥଲେଟିକ ଏସୋସିଏସନ୍ ସଭାଗୃହରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହିତ ଆତିଥ୍ୟ ପାଇ ଖୁସି ବ୍ୟକ୍ତ କରିଥିଲେ । ତାଙ୍କ ସହିତ ବିଦେଶୀ ଫଟୋଗ୍ରାଫର୍ ନିକୋଲାଳସ ମଧ୍ୟ ଏହି ଡଙ୍ଗରର ଗୁମ୍ଫା, ସେଲ୍ଫି ପଏଣ୍ଟ, ପଥର ସନ୍ଧି ପରି ବିଭିନ୍ନ ପ୍ରକାରର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକ ସଙ୍ଗୀତ ଗବେଷକ ସୁରେନ୍ଦ୍ର ସାହୁ, ନାଟ୍ୟ ନିର୍ଦ୍ଦେଶକ ନିସାର ଅହମ୍ମଦ ନିଶାର, କଳା ନିର୍ଦ୍ଦେଶକ ଗୌରୀଶଙ୍କର ବେଜ୍, ଝାରମୁଣ୍ଡା ଗୌନ୍ତିଆ ସଦାନନ୍ଦ ଧରୁଆ, ବୟୋଜୈଷ୍ଠ ଈଶ୍ୱର ମହାକୁରଙ୍କ ସମେତ ଗ୍ରାମବାସୀ ସାମିଲ ଥିଲେ । ଏହି ପରିଦର୍ଶନ ସମୟରେ ଏସୋସିଏସନ୍‌ର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡାଲଖାଇ ଡଙ୍ଗର ବୁଲାଇ ଦେଖାଇବା ସହିତ ଆତିଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.