ବରକାନୀ ପାଖରେ ଡକାୟତି : ସ୍କୁଟିରେ ଆସୁଥିବା ବେଳେ ପଛପଟୁ ଆକ୍ରମଣ କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ପାଖ ବରକାନୀ ପାଖରେ ଗତ ରାତି ପ୍ରାୟ ୧୦ଟା ସମୟରେ ଏକ ଡକାୟତି ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସଦାଇପାଲି ନିବାସୀ ଛବିଚନ୍ଦ୍ର ପଟେଲ ନିଜ ପୁଅଙ୍କ ସହ ଜଣେ ସଂପର୍କୀୟଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ କୁଶଙ୍ଗ ପାଖ ବଂଜାରୀ ଗାଁକୁ ଯାଇ ଫେରୁଥିବା ବେଳେ ଘଟିଛି ଏଭଳି ଅମାନବୀୟ ଘଟଣା । ଏକ ସ୍କୁଟି ସାହାଯ୍ୟରେ ଛବିଚନ୍ଦ୍ର ନିଜ ପୁଅଙ୍କ ସହ ଆସୁଥିବା ବେଳେ ଦୁର୍ବୃତ୍ତମାନେ ବରକାନୀ ପାଖରେ ପଛପଟୁ ତାଙ୍କୁ ଠେଙ୍ଗାରେ ପ୍ରହାର କରିଥିଲେ । ବାପପୁଅ ଭାରସାମ୍ୟ ହରାଇ ସ୍କୁଟିରୁ ଛିଟିକି ପଡ଼ିବା ପରେ ଦୁର୍ବୃତ୍ତମାନେ ତାଙ୍କ ପାଖରୁ ମୋବାଇଲ ଫୋନ୍‌, ପର୍ସ ଆଦି ଛଡାଇ ଫେରାର୍‌ ହୋଇଯାଇଥିଲେ । ୫ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଏଭଳି କାଣ୍ଡ ଘଟାଇଥିବା କୁହାଯାଇଛି । ସୂଚନା ପାଇ ଚନ୍ଦନଭାଟି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚିଥିବା ବେଳେ ଆହତ ଛବିଚନ୍ଦ୍ରଙ୍କୁ ତୁରନ୍ତ ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ । ଛବିଚନ୍ଦ୍ରଙ୍କ ସାନଭାଇଙ୍କ ପୁଅ ରାମ ପଟେଲ କହିଛନ୍ତି ଯେ, ବଲାଙ୍ଗିର ସହରରୁ ଚନ୍ଦନଭାଟିକୁ ଯିବା ରାସ୍ତାରେ ଲଗାତାର ଏଭଳି ଘଟଣା ଘଟୁଥିବା ବେଳେ ଏହି ରାସ୍ତାରେ ନିଛାଟିଆ ସମୟରେ ଯିବା ଆସିବା କରୁଥିବା ନିରୀହ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡ଼ିଛି । ଏ ଦିଗରେ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.