ତେଲେଙ୍ଗାନାରୁ ଫେରିଲା ଟଟୋପରାର ଦାଦନ ଶ୍ରମିକଙ୍କ ମୃତଦେହ : ଗାଁରେ ଶୋକାକୁଳ ପରିବେଶରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଟଟୋପରା ଗାଁର ସ୍ୱର୍ଗତ ରାଧାମୋହନ ସାହୁ ଓ ନୀରୁ ସାହୁଙ୍କ ବଡ଼ ପୁଅ ମୋତି ସାହୁ(୩୦)ଙ୍କ ତେଲେଙ୍ଗାନାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେ ଛୋଟ ଦିନରୁ ବାପାଙ୍କୁ ହରାଇଥିଲେ । ପରିବାରର ସମସ୍ତ ବୋଝ ସେ ଏକା ନେଇଥିଲେ । ଘରେ ମା’ଙ୍କୁ ଏକା ଛାଡି ମୋତି ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦକୁ ନିଜ ସ୍ତ୍ରୀ ଗୀତା ସାହୁଙ୍କୁ ନେଇ ଦାଦନ ଖଟିବାକୁ ଯାଇଥିଲେ । ନୂଆଁଖାଇରେ ଘରକୁ ଯିବି ବୋଲି ମା’ଙ୍କୁ ଫୋନ୍ କରି ଗତ କିଛି ଦିନ ତଳେ କହିଥିଲେ । କିନ୍ତୁ ହଠାତ୍‌ ଗତ ୨୯ ତାରିଖ ଦିନ ଦେହ ଅସୁସ୍ଥ ହେବାରୁ ସେଠାକାର ସିଏମ୍‌ଆର୍‌ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ । ଦେହ ଟିକେ ଭଲ ହେବା ପରେ ସେ ଘରକୁ ଫେରୁଥିବା ସମୟରେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା । ସେଠାରୁ ଗାଁକୁ ମୃତଦେହ ଫେରିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିଲା । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏ ସମ୍ପର୍କରେ ମୁରିବାହାଲ ଜର୍ନାଲିଷ୍ଟ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ ମୁରିବାହାଲ ତହସିଲଦାର ଜଗଦୀଶ କର୍ତାମିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ମୃତ ମୋତିଙ୍କ ପରିବାରକୁ ଜିଲ୍ଲାପାଳଙ୍କୁ ଜଣାଇ ଯାହା ସରକାରୀ ସହାୟତା ଅଛି ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.