ଅଧାରୁ ପାଠପଢ଼ା ଛାଡି ଦାଦନ ଖଟିବାକୁ ବାହାରକୁ ଯାଉଥିବା ଯୁବକ, ଯୁବତୀ ମାନଙ୍କ ତାଲିକା ପ୍ରସ୍ତୁତ କର : ସାଂସଦ ଡ. ପାଣିଗ୍ରାହୀ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଅଧ୍ୟକ୍ଷା ଶ୍ରୀମତୀ କୀରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଉପାଧ୍ୟକ୍ଷା ଏସ୍. ଶାରଦା ରେଡ୍ଡୀ, ବିଡ଼ିଓ ସୁଶାନ୍ତ କୁମାର ବରାଳ ମଞ୍ଚାସୀନ ଥିଲେ । ଜି. ପି. ଓ. ଦାୟିତ୍ୱରେ ଥିବା ସନ୍ତୋଷ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବୈଠକରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ମାନେ ସମ୍ବର୍ଦ୍ଧନା ଦେଇଥିଲେ । ଅଫିସର ଏବଂ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଯାହା ଅତୀତ ସରକାରରେ ରହିଥିଲା ଏବଂ ମତେ ଦଳରୁ ବହିଷ୍କାର କରାଯାଇଥିଲା ବୋଲି ସାଂସଦ ମତବ୍ୟକ୍ତ କରିଥିଲେ । ମତେ ସଂଘର୍ଷ କରିବାକୁ ପଡିଥିଲା । ନୂଆଁ ଦଳ ବିଜେପିକୁ ଯାଇ ଲଢ଼ିଲି ଏବଂ ନିର୍ବାଚିତ ହେଲି । ତେଣୁ ଅଫିସର ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସମ୍ମାନର ସହ ସମନ୍ୱୟ ରହିବା ଦରକାର । ନିର୍ବାଚିତ ପ୍ରତିନଧିଙ୍କ ପଦ-ମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ । ସମସ୍ତଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶବ୍ଲକ ହେବ । ସମଗ୍ର ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ଏହି ଭଳି ଉଦାହରଣ ନେଇ କାର୍ଯ୍ୟ କରିବେ ବୋଲି ସାଂସଦ ଡ. ପାଣିଗ୍ରାହୀ କହିଥିଲେ । କେନ୍ଦ୍ରୀୟ ପ୍ରକଳ୍ପ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେବ ତାହାରି ଉପରେ ସମ୍ୟକ୍ ଆଲୋଚନା ଦେଇଥିଲେ । ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇ କେନ୍ଦ୍ରୀୟ ପ୍ରକଳ୍ପ ସାଙ୍ଗକୁ ରାଜ୍ୟ ସରକାରଙ୍କ ନିକଟକୁ ଛତ୍ରପୁର ଅଞ୍ଚଳର ଆବଶ୍ୟକତା ପ୍ରକଳ୍ପକୁ ଉପସ୍ଥାପନା କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ସାଂସଦ କହିବା ସହ ମେଟ୍ରିକ୍ ପରେ ପାଠ ଛାଡି ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଯୁବକ, ଯୁବତୀ ମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ସେ ଦିଗରେ ସରକାର କାର୍ଯ୍ୟକାରୀ କରିବେ ବୋଲି ସାଂସଦ ମତ ରଖିଥିଲେ । ପ୍ରାଚୁର୍ଯ୍ୟ ମଧ୍ୟରେ ଦରିଦ୍ର୍ୟତାର ସମାଧାନ କରିବାର ଆବଶ୍ୟକତା ଥିବା ସେ କହିଥିଲେ । ମେଗା ପାନୀୟ ଜଳର ଅଗ୍ରଗତି ହେଉନଥିବା ପଞ୍ଚାୟତ ପ୍ରତିନିଧି ମାନେ ସାଂସଦ ଓ ବିଧାୟକକୁ ଜଣାଇବା ସହ କଲେଜ ଛକ ଏବଂ ଡି. ଆର୍. ଡି. ଏ. ଛକରେ ଫ୍ଲାଇଓଭର ବ୍ରିଜ ନିର୍ମାଣ ପ୍ରସଙ୍ଗ ଉପରେ ଜ଼ିଲ୍ଲା ପରିଷଦ ସଦସ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାଙ୍କ ଯୋଜନା ତୃଣମୂଳ ସ୍ତରରେ କିପରି ପହଞ୍ଚିବା ନେଇ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ମିଶି କାର୍ଯ୍ୟ କରିବା ବୋଲି ବିଧାୟକ କୃଷ୍ଣଚନ୍ଦ୍ର ନାୟକ କହିଥିଲେ । ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ବ୍ଲକର ଉନ୍ନୟନ କାର୍ଯ୍ୟରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତଙ୍କ ସହଯୋଗରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ବିଡ଼ିଓ ସୁଶାନ୍ତ ବରାଳ କହିଥିଲେ । ସୁନ୍ଦରପୁର ଡାକ୍ତରଖାନାକୁ ଡାକ୍ତର ଆସୁନଥିବା, କାଳୀପଲ୍ଲୀରେ ଜନସାଧାରଣ କୀଡ୍ନି ରୋଗରେ ଆକ୍ରାନ୍ତ ସଂକ୍ରାନ୍ତୀୟ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଥିଲା । ପାନୀୟ ଜଳ ସ୍ୱାସ୍ଥ୍ୟ ଉପରେ ଗୁରୁତର ସହ ଆଲୋଚନା କରିଥିଲେ ପାଞ୍ଚାୟତ ପ୍ରତିନିଧି ମାନେ । ଏହି ବୈଠକରେ ସମିତି ସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ଜିଲ୍ଲା ପରିଷଦ ସଦସ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ, ସରପଞ୍ଚ ବି. ସୁଦାମଙ୍କ ସମେତ ସଦସ୍ୟ, ସଦସ୍ୟା ଉପସ୍ଥିତ ହୋଇ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।