ନୂଆଁଖାଇକୁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲାଞ୍ଚଳର ଦୁଇ କୋଟି ଜନସାଧାରଣଙ୍କ ପର୍ବ, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ, ଭାଇଚାରାର ପର୍ବ, କୃଷିଭିତ୍ତିକ ପର୍ବ ନୁଆଁଖାଇ । ଏହି ପର୍ବ ଏଭଳି ଏକ ପର୍ବ ପରିବାର ଲୋକ, ଗାଁର ଲୋକ ଯେ କୌଣସି ସ୍ଥାନରେ -ରାଜ୍ୟ ବାହାରେ, ଦେଶ ବାହାରେ ଥିଲେ ମଧ୍ୟ ନିଜ ନିଜ ଘରକୁ ଫେରି ଏହି ମହାନ ପର୍ବରେ ସାମିଲ ହୋଇଥାନ୍ତି । ନୂଆଁଖାଇ ଦିନ ଘରର ଇଷ୍ଟଦେବୀ, ପିତୃଲୋକ, ଚାଷ ଜମିରେ ପ୍ରକୃତି ପୂଜା ସାରି ପରିବାରର ସମସ୍ତେ ଏକାଠି ହୋଇ “ନବାନ୍ନ “(ଚୁରାକୁଁଣା )ଭକ୍ଷଣ କରିଥାନ୍ତି । ପର୍ବର ଏଭଳି ମହତ୍ୱ ରହିଛି ବିଗତ ଦିନର ରାଗରୁଷା, ଗାଳି ଝଗଡ଼ା, ମାନ ଅଭିମାନ ଭୁଲି ସ୍ୱାଭିମାନ ସହ ଭାବ ଆଦାନ କରି ନୂଆଁଖାଇ ଜୁହାର ହୋଇଥାନ୍ତି । ଉକ୍ତ ଦିନଠାରୁ ପରିବାରର ସମସ୍ତେ ଏକାଠି ହୋଇ ତିନି ଚାରି ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରୋଷେଇ ବାସ କରି ଭୋଜି ଭାତର ଆସର ଜମେଇଥାନ୍ତି । ନୂଆଁଖାଇ ପର ଦିନ ପରିବାର ବନ୍ଧୁବର୍ଗ, ଜ୍ୱାଇଁ ଘରକୁ ମାମୁଁ ଘରକୁ ନୂଆଁ ଚୁରାକୁଁଣା ନେଇ ଦେବାର ପ୍ରଥା ରହିଛି । ଗାଁ ମାନଙ୍କରେ ସାଂକୃତିକ କାର୍ଯ୍ୟକ୍ରମ ମାନ ଚାଲିଥାଏ, ଗାଁ ପୁରା ଉତ୍ସବମୁଖର ହୋଇଥାଏ । ଏହି ପର୍ବ ଗାଁ କିମ୍ବା ପଶ୍ଚିମ ଓଡ଼ିଶାରେ ସୀମିତ ହୋଇ ରହି ନଥାଏ, ବାହାର ରାଜ୍ୟରେ ଲୋକେ ଏବଂ ବିଦେଶରେ ପ୍ରବାସୀ ମାନେ ମଧ୍ୟ ଅତି ଆଡ଼ମ୍ବର ସହିତ ପାଳନ କରିଥାନ୍ତି । କିନ୍ତୁ ପ୍ରଶାସନ ଓ ରାଜ୍ୟସରକାର ଏତେ ବଡ଼ ମହାନ ଗଣ ପର୍ବକୁ, ପଶ୍ଚିମ ଓଡ଼ିଶାର ଭାବାବେଗକୁ, କୃଷକ ମାନଙ୍କର ଆନନ୍ଦ ଉଲ୍ଲାସର ପର୍ବକୁ, ମାନ ସ୍ୱାଭିମାନର ପର୍ବକୁ, ଭାଇଚାରାର ପର୍ବକୁ ସ୍ୱାଧୀନତାର ଦୀର୍ଘ ୭୮ ବର୍ଷ ପରେ ମଧ୍ୟ କୁତ୍ରିମ ଅଣଦେଖା ଅବହେଳା କରି ଆସୁଛନ୍ତି । ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଶତ୍ରୁତା ଭାବ କରୁଛନ୍ତି । ପୂର୍ବ ଓଡ଼ିଶାରେ ସୀମିତ ଯେକୌଣସି ପର୍ବ ସେ ଅଞ୍ଚଳରେ ପାଳିତ ହେଲେ ସାରା ରାଜ୍ୟକୁ ସରକାରୀ ଛୁଟି ଘୋଷଣା କରୁଥିବାବେଳେ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖି ପଶ୍ଚିମ ଓଡ଼ିଶାରେ ପାଳିତ ପର୍ବ ପର୍ବାଣିରେ ସରକାରୀ ଛୁଟି ନଥାଏ । ପୂର୍ବ ଓଡ଼ିଶାରେ ସୀମିତ ରଜ ପର୍ବକୁ ପଶ୍ଚିମ ଓଡ଼ିଶାବାସୀ ପାଳନ କରୁନଥିଲେ ସୁଦ୍ଧା ସାରା ରାଜ୍ୟରେ ତିନି ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି କିନ୍ତୁ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇକୁ କେବଳ ଗୋଟିଏ ଦିନ ମଧ୍ୟ ଛୁଟି ଦେବାକୁ କୁଣ୍ଠାବୋଧ କରିଥାନ୍ତି । ବିଗତ ବର୍ଷ ମାନଙ୍କରେ ନୁଆଁଖାଇ ଦିନ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଚାକିରୀ ନିଯୁକ୍ତି ପାଇଁ ଛୁଟି ଘୋଷଣା ନକରି ପରୀକ୍ଷା କରେଇଥାନ୍ତି । ରଜ ଛୁଟି ସରକାରୀ କେଲେଣ୍ଡରରେ ତିନି ଦିନ ଥିବାବେଳେ କେବଳ ଗୋଟିଏ ଦିନ ନୁଆଁଖାଇ ଛୁଟି ସ୍ଥାନ ପାଇବା ଦୁଃଖର ବିଷୟ । ଆଜି ପାଟଣାଗଡ଼ଠାରେ କୋଶଲ ମୁକ୍ତି ମୋର୍ଚ୍ଚାର ଆବାହକ ଶ୍ରୀ ଗିରିରାଜ ଭୋଇଙ୍କ ନେତୃତ୍ୱରେ କଚେରୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ୟ୍ୟାଳୟ ପର୍ଯ୍ୟନ୍ତ ପହଁଞ୍ଚି ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ନାରାବାଜି କରିଥିଲେ କୋଶଲ ସଂଗ୍ରାମୀ ମାନେ । ପରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ନୂଆଁଖାଇକୁ ତିନି ଦିନ ସରକାରୀ ଛୁଟି ଘୋଷଣା ସହ ସରକାରୀ କେଲେଣ୍ଡରରେ ସ୍ଥାନ ଦେବାକୁ ଦାବୀ କରିଥିଲେ । ଆଜିର ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଜଗନ ମେହେର, ଜିତୁ ନାଏକ, ଜନସନ ନାଗ, ସୁବାଷ ଆଚାର୍ଯ୍ୟ, ଜନାର୍ଦନ ସିଂ, ପ୍ରକାଶ ସାହୁ, ଅଭିଳାଷ ଭୋଇ, ଜୈସିଂ ପୂଝାରି, ସନ୍ତୋଷ ପଧାନ, ଝସକେତନ ରା଼ଏ, ଧବଳେଶ୍ୱର ଭୋଇ, ରମେଶ କୁମୁରା, ରଞ୍ଜିତ ସାହୁ, ଯୁଧିଷ୍ଠିର ମିର୍ଦ୍ଧା, କାର୍ତ୍ତିକ ହଂସ, ଭଗବାନ ମାଝୀ, କୈଳାଶ ବେହେରା, ରାଜ କିଶୋର ଛତ୍ରିଆ, ଅମ୍ଲାନ ପଧାନ, ବୀରେନ୍ଦ ବାଗ ଓ ଅନେକ କୋଶଲ ସଂଗ୍ରାମୀ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.