ଏସ୍ୟୁଜେ(ଓ) ବଲାଙ୍ଗିର ଶାଖା ତରଫରୁ ‘ସାମ୍ବାଦିକ ସୁରକ୍ଷା ଆଇନ’ ଦାବିରେ ପ୍ରତୀକ ଗଣଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : ଷ୍ଟେଟ ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଓ), ବଲାଙ୍ଗିର ଜିଲ୍ଲା ଶାଖାର ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ବିଶିଷ୍ଟ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କୁ ପ୍ରଦାନ କରିଥିଲେ । ସାମ୍ବାଦିକମାନଙ୍କ ନିମ୍ନଲିଖିତ ନ୍ୟାର୍ଯ୍ୟ ଦାବିମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରଦାନ ଓ ଅବସର ଗ୍ରହଣ କରିଥିବା ସାମ୍ବାଦିକଙ୍କୁ ମାସିକ ୨୫ ହଜାର ଟଙ୍କା ପ୍ରଦାନ କରିବା ଓ ଭୁବନେଶ୍ୱରକୁ ଯାଉଥିବା ରାଜ୍ୟର ସାମ୍ବାଦିକଙ୍କ ରହଣି ସକାଶେ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରିବା ଆଦି ପୁରଣ କରିବା ଦିଗରେ ରାଜ୍ୟ ସରକାର ଆନ୍ତରିକତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି । ପ୍ରତିବର୍ଷ ପଞ୍ଜିକରଣ ନବୀକରଣ ପ୍ରକ୍ରିୟାକୁ ବନ୍ଦ କରି ସାମ୍ବାଦିକ ବୀମା ରାଶିକୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଏସ୍ୟୁଜେ ସଂଘ ପକ୍ଷରୁ ଦୀର୍ଘ ୪ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ରାଜ୍ୟ ସରକାରଙ୍କ ଠାରେ ଦାବି କରି ଆସୁଛି । ଦାବି ପୂରଣ ନେଇ ଏସ୍ୟୁଜେ ସଂଘ ପକ୍ଷରୁ ଅନେକ ଥର ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ବିଧାୟକଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଅନେକ ଥର ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ଏସ୍ୟୁଜେ ବଲାଙ୍ଗିର ଜିଲ୍ଲା ଶାଖାର ସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏସ୍ୟୁଜେ ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଗୋପବନ୍ଧୁ ଶତପଥୀଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଶରତ କୁମାର ମହାକୁର, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ଜିଲ୍ଲା ସମ୍ପାଦକ ରଘୁ ନନ୍ଦନ ସିଂ, ସଭ୍ୟ ନିରଜ କୁମାର ମିଶ୍ର, ରାଧା କ୍ରିଷ୍ଣା ମିଶ୍ର, ପବନ ବଂଶଲ, ମହେନ୍ଦ୍ର ପଧାନ, ଚିତ୍ରସେନ ବେହେରା, ଯୁଗଳ କିଶୋର ଶବର, ତୁଳସୀ ରାମ ଜଗତ, ମିନିକେତନ୍ ନିଆଲ ଏବଂ ରାକେଶ ସରାଫଙ୍କୁ ନେଇ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।