ଦାବି ପୂରଣ ହେଲାନି, ସରକାରୀ ଆୟୁଷ କଲେଜରେ ତାଲା ବନ୍ଦ କଲେ ଆୟୁଷ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦୁଇ ଦଶନ୍ଧି ଧରି ଆୟୁଷ କ୍ଷେତ୍ରକୁ ସରକାରଙ୍କ ଦ୍ୱାରା ଉପେକ୍ଷା କରାଯାଉଥିବା ଅଭିଯୋଗରେ ବିଗତ ଦିନରେ ଶତାଧିକ ଥର ସରକାରଙ୍କ ନିକଟରେ ଦାବି ଜଣାଇବା ପରେ ଗତ ୬ ନଭେମ୍ବରରୁ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରି ଆସୁଥିଲା ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । କିନ୍ତୁ ସରକାର ଦାବି ପୂରଣ କରିବା ତ’ ଦୂରର କଥା, ଏପରିକି ଆଲୋଚନା ପାଇଁ ବି ଡାକିଲେ ନାହିଁ । ଶେଷରେ ବାଧ୍ୟ ହୋଇ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ କଠୋର ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଆୟୁର୍ବେଦ କଲେଜ ସହ ରାଜ୍ୟର ୭ଟି ସରକାରୀ ଆୟୁଷ କଲେଜରେ ଛାତ୍ରସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ କରାଯାଇଛି । ୧୯ ଦିନ ଧରି କଳା ବ୍ୟାଚ୍‌ ପରିଧାନ କରି ପ୍ରତିବାଦ ଜଣାଇବା ପରେ ସରକାର କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବାରୁ ବାଧ୍ୟ ହୋଇ ଏଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ଛାତ୍ରସଂଘ ପକ୍ଷରୁ କୁହାଯାଇଛି । ଅଭିଯୋଗ କରାଯାଇଛି ଯେ, ରାଜ୍ୟର ସମସ୍ତ ବିଭାଗକୁ ସରକାର ହାତ ଧରି ଉପରକୁ ନେଉଥିବା ବେଳେ ଆୟୁଷ କ୍ଷେତ୍ରକୁ ହତାଦର କରିଚାଲିଛନ୍ତି । ଏପରିକି କେନ୍ଦ୍ର ସରକାର ଆୟୁଷ ବିଭାଗରେ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠନ କରି ଆୟୁଷ ଚିକିତ୍ସା ପଦ୍ଧତିର ଉନ୍ନତି ପାଇଁ ଅଂଟା ଭିଡ଼ିଥିବା ବେଳେ ଓଡ଼ିଶା ସରକାର ଏହି କ୍ଷେତ୍ରରେ ବିପରୀତମୁଖୀ ମନୋଭାବ ପ୍ରଦର୍ଶନ କରୁଛନ୍ତି । ଏଣୁ ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ଆୟୁଷ କଲେଜରେ ତାଲା ବନ୍ଦ କରିଥିବା ଅଭିଯୋଗରେ କୁହାଯାଇଛି ।

Leave A Reply

Your email address will not be published.