ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସମ୍ବଲପୁରୀ ଗଣବେଶ କରିବା ପାଇଁ ବୋଡ଼ାସମ୍ବର ମେହେର ଯୁବାମଞ୍ଚର ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ବସ୍ତ୍ର ହେଉଛି ପଶ୍ଚିମ ଓଡ଼ିଶାର ଅସ୍ମିତାର ପରିଚୟ । ଭୁଲିଆ ସମାଜର ବୁଣାକାରମାନେ ଦିନ ରାତି କଠିନ ପରିଶ୍ରମ କରି ସମ୍ବଲପୁରୀ ବସ୍ତ୍ର ତିଆରି କରିଥାନ୍ତି । ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ଏହାର ବିକ୍ରି ମଧ୍ୟ ଭୁଲିଆ ସମାଜର ବ୍ୟବସାୟୀମାନେ କରିଥାନ୍ତି । ତେବେ ବୋଡ଼ାସମ୍ବର ଅଞ୍ଚଳ ଭୁଲିଆ ସମାଜର ଏକ ପ୍ରମୁଖ କେନ୍ଦ୍ର, ଯେଉଁଠି ବହୁ ସଂଖ୍ୟାରେ ଭୁଲିଆ ପରିବାର ବସବାସ କରିଥାନ୍ତି । କିନ୍ତୁ ଧୀରେ ଧୀରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ଲୋକଙ୍କ ମଧ୍ୟରେ କମିବାରେ ଲାଗିଛି । ତେବେ ଏ ସଂକ୍ରାନ୍ତରେ କିଛି ପଦକ୍ଷେପ ନେବା ପାଇଁ ଚିନ୍ତା କରିଛି ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ । ଶନିବାର ଦିନ ଯୁବାମଞ୍ଚ ତରଫରୁ ସଭାପତି ରୀତେଶ ରଂଜନ ମେହେର ଓ ସମ୍ପାଦକ ଚିନ୍ମୟ ମେହେର ଅଞ୍ଚଳ ମହା ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟି ସମ୍ବଲପୁରୀ ବସ୍ତ୍ରକୁ ଆଗାମୀ ଶିକ୍ଷାବର୍ଷରୁ ଗଣବେଶ ଭାବେ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଅଧ୍ୟକ୍ଷ ଖଗେଶ୍ୱର ଦାଶ ମଧ୍ୟ ଏହିଭଳି ଗୋଟିଏ ପ୍ରସ୍ତାବ ପାଇ ବହୁତ ଖୁସି ହୋଇଥିଲେ ଓ ନିଶ୍ଚିତ ଭାବରେ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଏହି ବର୍ଷରୁ ହିଁ ଦଶଟି ବିଭାଗରେ ସ୍ନାତକୋତ୍ତର (ପିଜି) ଶିକ୍ଷା ଆରମ୍ଭ ହେବାକୁ ଯାଉଛି । ଅଧ୍ୟକ୍ଷ ଶ୍ରୀ ଦାଶ ଏହି ବର୍ଷରୁ ହିଁ ନୂତନ ଭାବରେ ପିଜିରେ ନାମ ଲେଖାଇବାକୁ ଯାଉଥିବା ବିଦ୍ୟାର୍ଥୀମାନଙ୍କର ଗଣବେଶକୁ ସମ୍ବଲପୁରୀ କରିବା ପାଇଁ ଓ ଆଗାମୀ ବର୍ଷରୁ ଯୁକ୍ତଦୁଇ ତଥା ଯୁକ୍ତତିନି ଉଭୟ ଶ୍ରେଣୀ ପାଇଁ ମଧ୍ୟ ସମ୍ବଲପୁରୀ ବସ୍ତ୍ର ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ବଲପୁରୀ ବସ୍ତ୍ର କେବଳ ପଶ୍ଚିମ ଓଡ଼ିଶାର ସଂସ୍କୃତିର ଅଂଶବିଶେଷ ନୁହେଁ, ବରଂ ଏହା ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିବା ପାଇଁ ଏକ ପ୍ରମୁଖ ମାଧ୍ୟମ । ତେବେ ଏହା ଲାଗୁ ହେଲେ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହୋଇପାରିବ ବୋଲି ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚର ସଭାପତି ରୀତେଶ ରଂଜନ ମେହେର ମତ ଦେଇଛନ୍ତି । ତା ଛଡ଼ା ଆଗାମୀ ସମୟରେ ବୋଡ଼ାସମ୍ବର ଅଞ୍ଚଳର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ ସମ୍ବଲପୁରୀ ଗଣବେଶ ଆରମ୍ଭ କରିବା ପାଇଁ ଭୁଲିଆ ସମାଜର ଯୁବାମଞ୍ଚ ପ୍ରୟାସ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରୀତେଶ ରଂଜନ ମେହେର ୨୦୧୮ ମସିହାରେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ଉପସଭାପତି ଥିବା ବେଳେ ସେଠାରେ ମଧ୍ୟ ସେ ସମ୍ବଲପୁରୀ ଗଣବେଶ ଆରମ୍ଭ କରାଇଥିଲେ । ତାଙ୍କର ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟର କୁଳପତି ଆଦର ସହକାରେ ସ୍ୱୀକାର କରିବା ସହ ସାଙ୍ଗେ ସାଙ୍ଗେ କାର୍ଯ୍ୟକାରୀ କରାଇଥିଲେ । ତେବେ ପଦ୍ମପୁର ଅଞ୍ଚଳର ଅନ୍ୟାନ୍ୟ କଲେଜରେ ମଧ୍ୟ ଆଗାମୀ ସମୟରେ ସମ୍ବଲପୁରୀ ବସ୍ତ୍ରକୁ ଗଣବେଶ ଭାବରେ ଲାଗୁ କରାଗଲେ ଅଞ୍ଚଳର ବିକାଶ ଆହୁରି ହେବ ବୋଲି ଯୁବାମଞ୍ଚ ତରଫରୁ ମତ ଦିଆଯାଇଛି ।

jittmm
Leave A Reply

Your email address will not be published.