ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା ୧୮/୨ ରିଖ ଦିନ ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଆଇଆଇସି ବୀରବଳ ଜଗତ ନିଜ ଗାଡିରେ ପୋଲିସ ଫୋର୍ସ ଧରି ବିଭିନ୍ନ ବୁଥ ଭିତରକୁ ପ୍ରବେଶ କରି ସାଧାରଣ ଭୋଟରମାନଙ୍କୁ ଏପରିକି ମହିଳା ଭୋଟର ମାନଙ୍କୁ ଯେଭଳି ନିର୍ମମ ଓ ଅମାନୁଷିକ ଭାବେ ମାଡ ମାରି ଲୋକଙ୍କୁ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଥିଲା । ତା’ ବିରୋଧରେ ଧିରେ ଧିରେ ତୀବ୍ର ଜନ ଅସନ୍ତୋଷ ଆରମ୍ଭ ହେବାରେ ଲାଗିଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ କେନ୍ଦ୍ରମାନଙ୍କରେ ମତଦାତା ମାନେ ଭୋଟ ଦେଉଥିବା ବେଳେ ସଂପୃକ୍ତ ପୋଲିସ ଅଧିକାରୀ କେଉଁ କାରଣରୁ ଲାଠିରେ ସାଧାରଣ ମତଦାତା ମାନଙ୍କୁ ମାଡ ମାରି କ୍ଷତାକ୍ତ କଲେ ସେ ସଂପର୍କରେ ବରଗଡ ଏସପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ପାଖରେ ଖବର ଥିଲେ ମଧ୍ୟ କୌଣସି ଅଧିକାରୀ ମତଦାତା ମାନଙ୍କ ପାଖରେ ପହଞ୍ଚି ଘଟଣାର ତଦନ୍ତ କରି ନାହାନ୍ତି ବୋଲି ଅଭିଯୋଗ ହେଉଛି । ଘଟଣାରୁ ଜଣାଯାଇଛି ଯେ, ଗତ ୧୮ ତାରିଖ ଦିନ ପାଖାପାଖି ୧୦.୩୦ ମିନିଟ ସମୟରେ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଭୋଟ ଗ୍ରହଣ କେନ୍ଦ୍ରକୁ ଗାଇସିଲେଟ ଥାନା ଆଇଆଇସି ବୀରବଳ ଜଗତ ପହଞ୍ଚି ଲୋକେ ଧାଡିରେ ଛିଡା ହୋଇ ଶାନ୍ତିଶୃଙ୍ଖଳାର ସହ ଭୋଟ ଦେଉଥିବା ବେଳେ ବାହାରକୁ ପରିସ୍ରା ଯାଇ ଫେରୁଥିବା ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଏଜେଣ୍ଟ ନୀଳକଣ୍ଠ ବରିହାଙ୍କୁ କୌଣସି ପ୍ରଶ୍ନ ନ ପଚାରି ଲାଠିରେ ପ୍ରବଳ ମାଡ ମାରିଥିଲେ । ନୀଳକଣ୍ଠଙ୍କ କାକା ଯିଏକି ଭୋଟ କେନ୍ଦ୍ରରେ ଉପସ୍ଥିତ ଥିଲେ । ଧନେଶ୍ଵର ବରିହା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଲାଠିରେ ପ୍ରବଳ ମାଡ ମାରିଥିଲେ । ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କ ଏଜେଣ୍ଟ ଥିବା ୨୬ ବର୍ଷ ନୀଳକଣ୍ଠ ବର୍ତ୍ତମାନ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେଠାରୁ ୩ କିମି ଦୂରରେ ଥିବା ଆଉ ଏକ ଭୋଟ ଗ୍ରହଣ କେନ୍ଦ୍ର କଠଉମାଲ ଉପ୍ରା ବିଦ୍ୟାଳୟ କୁ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଭୋଟ କେନ୍ଦ୍ର ଭିତରୁ ଭୋଟ ଦେଇ ଫେରୁଥିବା ଶ୍ରୀମତୀ ହିମାଙ୍ଗିନି ଥପାଙ୍କୁ ଲାଠିରେ ମାଡ ମାରିବାରୁ ବାମ ହାତରୁ ରକ୍ତ ବୋହିବା ସହ ଚୁଡି ଭାଙ୍ଗି ଯାଇଥିଲା । ସ୍ବାମୀ ଗୁରୁ ଥପା ଓ ଗାଁର ଅନ୍ୟ ଜଣେ ମହିଳା ପ୍ରିୟମ୍ବଦା ସାହୁ ମହିଳାଙ୍କୁ କାହିଁକି ମାଡ ମାରିଲେ ବୋଲି କହିବାରୁ ଶ୍ରୀ ଜଗତ ଭୁଲ ହୋଇଗଲା କହି ପୁଣି ବାଡି ଧରି ଭୋଟ କେନ୍ଦ୍ର ଭିତରକୁ ପଶିଥିଲେ । ପୁଣି ଭିତରେ ୭୦ ବର୍ଷ ବୟସ୍କ ଜଣେ ସ୍ବାମୀ ପରିତ୍ୟକ୍ତ ଗରିବ ମହିଳା ଶ୍ରୀମତୀ ଗୁଲା ସାହୁଙ୍କୁ ଲାଠିରେ ମାଡ ମାରିବାରୁ ମୁଣ୍ଡ ଫୁଲି ଯାଇଛି ଓ ହାତର ଚୁଡି ଭାଙ୍ଗି ଯାଇଛି । ଧାଡିରେ ଛିଡା ହୋଇଥିବା ଆଉ ଜଣେ ୫୬ ବର୍ଷ ବୟସ୍କ ଧନପତି ସାହୁଙ୍କୁ ମଧ୍ୟ ଶ୍ରୀ ଜଗତ ଲାଠିରେ ନିର୍ମମ ମାଡ ମାରିବାରୁ ପିଠି ଓ ଜଙ୍ଗ ଫାଟି ଯାଇଛି । ଯେଉଁଥି ପାଇଁ କଠଉମାଲ ଗ୍ରାମରେ ଏକ ଉତ୍ତୋଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଫିରିଙ୍ଗିମାଲ ଓ କଠଉମାଲ ଗାଁକୁ ଯାଇ ଗ୍ରାମବାସୀଙ୍କ ଠାରୁ ଭୋଟ ଦିନ ନିରିହ ମତଦାତାଙ୍କ ଉପରେ ଗାଇସିଲେଟ ଆଇଆଇସି କରିଥିବା ଅତ୍ୟାଚାର ବିଷୟରେ ଶୁଣିଥିଲେ । ତୁରନ୍ତ ଗାଇସିଲେଟ ଆଇଆଇସି ଶ୍ରୀ ଜଗତଙ୍କୁ ଚାକିରିରୁ ନିଲମ୍ବନ ସହ ଥାନାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦର୍ଜ ପାଇଁ ଉଭୟ ଗ୍ରାମର ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ବିଜେପି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ବରଗଡ ସାଂସଦ ପ୍ରତିନିଧି ପ୍ରବୀଣ ପାଣିଗ୍ରାହୀ, ଶ୍ରୀମତୀ ଝରଣା ପାଣିଗ୍ରାହୀ, ବିପିନ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।