ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀ ପ୍ରତି ରାଜ୍ୟ ସରକାର ସବୁବେଳେ ଯତ୍ନବାନ : ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
- ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେବା ସହ ସର୍ବଦା ସେମାନଙ୍କ ଉନ୍ନତି କଳ୍ପେ ଯତ୍ନବାନ ବୋଲି ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି । ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ସଭାପତିତ୍ୱ ଓ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି କହିଥିଲେ ଯେ, ଗୋଟିଏ ସ୍ଥାନରେ ଗୋଟିଏ ଜାଗାରେ ରାଜ୍ୟ ସାମ୍ବାଦିକଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା । ସେ କହିଥିଲେ ଯେ, ସାମ୍ବାଦିକମାନେ ନିଜର ସ୍ୱାଭିମାନକୁ ରକ୍ଷା କରି ନିରବଚ୍ଛିନ୍ନ ଭାବରେ ଅହୋରାତ୍ର କାର୍ଯ୍ୟ କରୁଛନ୍ତି ଏବଂ ପ୍ରତିକୂଳ ପରିସ୍ଥିତିରେ ଛିଡା ହୋଇ କାର୍ଯ୍ୟ କରି ଚାଲୁଛନ୍ତି ପଛକୁ ନ ଚାହିଁ । ସେମାନେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ସହ ସରକାରଙ୍କ ଦୋଷ ତ୍ରୁଟି ମଧ୍ୟ ଉଜାଗର କରୁଛନ୍ତି । ତେଣୁ ଆପଣ ମାନେ ପ୍ରକୃତରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ରୂପେ କାର୍ଯ୍ୟ କରିଛନ୍ତି । ତେଣୁ ଆପଣମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସବୁବେଳେ ଯତ୍ନବାନ ଅଛନ୍ତି ଏବଂ ଆପଣ ମାନେ କରିଥିବା ଦାବୀ ଗୁଡ଼ିକୁ ରାଜ୍ୟ ସରକାରଙ୍କ ପାଖରେ ନିଶ୍ଚିତ ଉପସ୍ଥାପନ କରିବେ ବୋଲି ଶ୍ରୀମତୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଲୋୟର ସୁକତେଲ ଠାରୁ ଆରମ୍ଭ କରି ଅନେକ ଯୋଜନା ମାଧ୍ୟମରେ ବଲାଙ୍ଗିର ଜିଲ୍ଲାକୁ ଆହୁରି ସମୃଦ୍ଧ କରିବାରେ ଆପଣଙ୍କ ପ୍ରସଂଶନୀୟ ସହଯୋଗ ରହିଛି ଏବଂ ଏହା ଜାରି ରହୁଥାଉ, ଫଳରେ ଆମେ ସମସ୍ତେ ମିଶି ବଲାଙ୍ଗିର ଜିଲ୍ଲାକୁ ଆହୁରି ଆଗକୁ ନେଇ ପରିବା । ମନ୍ତ୍ରୀ ଶ୍ରୀମତୀ ସାହୁ ଲକ୍ଷ୍ମୀ ବସରେ ଗ୍ରାମାଞ୍ଚଳରୁ ନେଇ ଜିଲ୍ଲା ସଦର ମହକୁମା ଯାଏଁ ସାମ୍ବାଦିକମାନେ କିଭଳି ନିଶୁଳ୍କ ବସ ସେବା ପାଇ ପାରିବେ ତାହା ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ସେହିପରି ଓୟୁଜେ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ କରାଯାଇଥିବା ସମସ୍ତ ଦାବୀ ବିଷୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ବିଧାନସଭାରେ ମୁଖ୍ୟ ସଚେତକ ବିଧାୟକ ସରୋଜ ମେହେର । ସେ ନିଜ ବକ୍ତବ୍ୟରେ ସାମ୍ବାଦିକ ମାନେ ନିଜର ବ୍ୟକ୍ତିଗତ ସୁବିଧାକୁ ଭ୍ରୁକ୍ଷେପ ନ କରି ଯେଭଳି ଭାବରେ ନିଜର କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ସମସ୍ତଙ୍କ ଦାବୀକୁ ସେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ତାର ସହ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜି କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ସମାଜର ଚତୁର୍ଥ ସ୍ତମ୍ଭକୁ ବେଶୀ ହଇରାଣ କରୁଛନ୍ତି । ଗୋଟିଏ ସମୟ ଥିଲା ନିର୍ଭୟ ହିସାବରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଆଜି ସେହି ସ୍ଵାଧୀନତାରେ କାର୍ଯ୍ୟ କରିପାରୁନାହିଁ । ଖବକାଗଜ ଓ ନ୍ୟୁଜ କେନାଲର ମାଲିକ ମାନେ ସରକାରଙ୍କ ଗୋଡନିଆ ହୋଇ ନିଜର ସ୍ଵାଧୀନତାକୁ ଜଳାଞ୍ଜଳି ଦେଇ ନିଜର ବ୍ୟକ୍ତିଗତ ଲାଭ ଓ ସଂସ୍ଥାର ବ୍ୟବସାୟିକ ଲାଭ ପାଇଁ କେବଳ ଚେଷ୍ଟା କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ବହୁତ ବିପଦ ଅଟେ । ଆଜି ଖବର ସରକାରୀ ପ୍ରାୟୋଜିତ ହୋଇ ଯାଉଛି । ଅସଲ ଖବରକୁ ନିଜେ ସରକାରୀ କଳ କବର ଦେଇଦେଉଛି ନିଜର ସ୍ଵ ପ୍ରାୟୋଜିତ ଗଣମାଧ୍ୟମ ଜରିଆରେ । ଫଳରେ ସରକାର ନିଜ ସପକ୍ଷର ଖବର କେବଳ ପରିବେଷଣର ବ୍ୟବସ୍ଥା କରି ସମାଜର ପ୍ରକୃତ ଖବରକୁ ଚାପି ଦେବାରେ ସଫଳ ହୋଇ ପାରୁଛନ୍ତି । ସେ ଆଗାମୀ ବିଧାନସଭା ଅଧିବେଶନରେ ରାଜ୍ୟ ସାମ୍ବାଦିକମାନଙ୍କ ସମସ୍ତ ଦାବୀ ଯଥା ପ୍ରେଷ୍ଟିଜ, ପେନସନ ଓ ପ୍ରୋଟେକ୍ସନର ଯେଉଁ ଦାବୀ ରହିଛି ତାହା ନିଶ୍ଚିତ ଭାଗରେ ବିଧାନ ସଭାରେ ଉତ୍ଥାପନ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ନିଜ ସଭାପତିତ୍ୱ ଅଭିଭାଷଣରେ ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି କହିଥିଲେ ଯେ, ଆମେ ପ୍ରେଷ୍ଟିଜ, ପେନସନ ଓ ପ୍ରୋଟେକସନ ପାଇବା ଦରକାର । ଏହି ତିନୋଟି ଦାବୀ ନେଇ ଆଗାମୀ ଦିନରେ ରାଜ୍ୟ ସାରା ଆନ୍ଦୋଳନକୁ ଓହ୍ଲାଇବ ଓୟୁଜେ । ସେ କହିଥିଲେ ଯେ, ସମଗ୍ର ଦେଶରେ ଆଜି ସାମ୍ବାଦିକମାନଙ୍କୁ ହଇରାଣ କରାଯାଉଛି, ଆକ୍ରମଣ କରାଯାଉଛି । ତାହା ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହେଉଛି, ତେଣୁ ସାମ୍ବାଦିକମାନଙ୍କୁ ଓଡ଼ିଶାରେ ସୁରକ୍ଷା ଯୋଗାଇଦେବା ରାଜ୍ୟ ସରକାରଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଅଟେ । ତେଣୁ ରାଜ୍ୟ ସରକାର ଯଥା ଶୀଘ୍ର ଓଡ଼ିଶା ବିଧାନସଭାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବିଲ ଆଣନ୍ତୁ । ଦ୍ଵିତୀୟ ବିଷୟ ହେଲା ସାମ୍ବାଦିକ ମାନେ ଖଟି ଖଟି ନିଜର ସାରା ଜୀବନ ସାରି ଦେଇଥିବା ବେଳେ ଆଜି ସେମାନଙ୍କ ନିଜସ୍ଵ ପାରିବାରିକ ସୁରକ୍ଷା କିଛି ନାହିଁ । ତାଙ୍କର ପାରିବାରିକ ସୁରକ୍ଷା ପାଇଁ ଖୁବ ଶୀଘ୍ର ସାମ୍ବାଦିକ ଅଧିସ୍ଵୀକୃତି ପ୍ରକ୍ରିୟା ଆରମ୍ଭ କରାଯାଇ ସମସ୍ତ ବରିଷ୍ଠ ସାମ୍ବାଦିକଙ୍କୁ ରାଜ୍ୟ ସରକାର ଅଧିସ୍ଵୀକୃତି ପ୍ରଦାନ କରନ୍ତୁ । ଏହା ସହ ଜୀବନ ର ଯୌବନାବସ୍ଥାରୁ ପ୍ରୌଢ଼ାବସ୍ଥା ଦେଇ ବୃଦ୍ଧାବସ୍ଥାରେ ପହଁଚିବା ପରେ ମଧ୍ୟ ତାର ପାଖରେ ଶେଷ ଜୀବନରେ ପରିବାର ପ୍ରତିପୋଷଣ କରିବା ପାଇଁ ଆଉ କିଛି ଉପାୟ ରହିନଥାଏ । ତେଣୁ ସେମାନଙ୍କ ଏହି ଦୂରାବସ୍ଥାର ନିବାରଣ କରିବା ପାଇଁ ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅବସରକାଳୀନ ପେନସନ ଯୋଗାଇ ଦିଆଯାଉ ବୋଲି ଶ୍ରୀ ମହାନ୍ତି ଦାବୀ କରିଥିଲେ ।
ସଭା ପ୍ରାରମ୍ଭରେ ଲକ୍ଷ୍ମୀ ନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବଦ୍ରୀ ନାରାୟଣ ମିଶ୍ର ସ୍ୱାଗତ ଭାଷଣ, ସମ୍ପାଦକ ଅଭୟ ତ୍ରିପାଠୀ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଉପ- ସଭାପତି ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଓ ଟିଭିର ପଶ୍ଚିମ ଓଡ଼ିଶା ମୁଖ୍ୟ ମନୋରଞ୍ଜନ ଯୋଶୀଙ୍କୁ ଓୟୁଜେ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଉପଢୌକନ, ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ସଂଘ ପକ୍ଷରୁ ରାଜ୍ୟର ସମସ୍ତ ସାମ୍ବାଦିକମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।