centurian jitm

ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀ ପତ୍ର ପ୍ରଦାନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ବିଜେପି ପକ୍ଷରୁ ଦାବୀ କରାଯାଇଛି ଯେ, ଓଡ଼ିଶା ସରକାରଙ୍କ ରାଜନୈତିକ ଷଡଯନ୍ତ୍ର, ଅବହେଳା ଓ ବୈମାତୃକ ଆଭିମୁଖ୍ୟ ଯୋଗୁଁ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ବୁର୍ଲାସ୍ଥିତ ଭିମସାର ଠାରେ ଇଚ୍ଛାକୃତ ଭାବରେ ସୃଷ୍ଟି କରାଯାଇଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଭିତିଭୂମିର ସୁଧାର ଆଣି ପଶ୍ଚିମ ଓଡ଼ିଶାବାସୀଙ୍କ ସହ ସୀମାବର୍ତୀ ରାଜ୍ୟର ନାଗରିକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉ ।

ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ପ୍ରାଣକେନ୍ଦ୍ର ହେଉଛି ବୁର୍ଲାସ୍ଥିତ ଭିମସାର । ତେବେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବୁର୍ଲାସ୍ଥିତ ଭିମସାରର କ୍ଷମତା ବିହିନ ନିର୍ଦ୍ଦେଶକଙ୍କୁ ଭିମସାର ପରିଚାଳନାରେ ସ୍ୱାଧୀନ କ୍ଷମତା ନ ଦେଇ ରାଜ୍ୟ ସରକାର ସମସ୍ତ କ୍ଷମତାକୁ ଜାବୁଡି ଧରି ରାଜ୍ୟସ୍ତରରେ ନିଜ ନିୟନ୍ତ୍ରଣାଧୀନ କରିବା ଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କ ଆବଶ୍ୟକତା ଅନୁୟାୟୀ ଭିମାସାରର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଭିତିଭୂମିର ସଠିକ ଓ ଆବଶ୍ୟକତା ଅନୁୟାୟୀ ବିକାଶ ହୋଇପାରୁ ନାହିଁ । ଓଡ଼ିଶା ସରକାର ଦୀର୍ଘ ୨୦ ବର୍ଷ ଶାସନ କଲା ପରେ ମଧ୍ୟ ଭୀମସାରରେ ବର୍ତମାନ ମାତ୍ର ୨୦ଟି ଆଇସିୟୁ ବେଡ ଅଛି, ଯାହାକି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ । କଟକ ଏସ୍‌ସିବି ମେଡିକାଲ ପାଇଁ ନଅ ଗୋଟି ଏକ୍‌ମୋ ମେସିନର ବ୍ୟବସ୍ଥା କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ପ୍ରାଣକେନ୍ଦ୍ର ଥିବା ବୁର୍ଲାସ୍ଥିତ ଭିମସାର ପାଇଁ କୌଣସି ଏକମୋ ମେସିନ ଓଡ଼ିଶା ସରକାର ଦେଇ ନାହାନ୍ତି । ଏପରି କି ଏକମୋ ମେସିନ ଦେବା ପାଇଁ ସରକାର ଯୋଜନା ମଧ୍ୟ କରି ନାହାନ୍ତି । ବିଜେପି ଆହୁରି ଅଭିଯୋଗ ଆଣିଛି ଯେ, କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ପରିକଳ୍ପାନ କରି ଓଡ଼ିଶା ସରକାର ସ୍ୱତନ୍ତ୍ର ଭାବରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପଶ୍ଚିମ ଓଡ଼ିଶା ସ୍ଥିତ ଭିମସାର ପାଇଁ ବଜେଟରେ ସ୍ୱତନ୍ତ୍ର ପାଣ୍ଠିର ବରାଦ କରି ନାହାନ୍ତି । ପୁଣି ସବୁଠୁ ବେଶୀ କ୍ୟାନସର ରୋଗୀ ଥିବା ପଶ୍ଚିମ ଓଡ଼ିଶା ପାଇଁ ଭିମସାର ସ୍ଥିତ କ୍ୟାନସର ବିଭାଗର ଦୁଃସ୍ଥିତି ଯୋଗୁଁ ପଶ୍ଚିମ ଓଡ଼ିଶାବାସୀଙ୍କ କୌଣସି କାମରେ ଆସୁନାହିଁ । ହାର୍ଟ କାଡିଓ ବିଭାଗ, ହାର୍ଟ ଟ୍ରାନ୍‌ସପ୍ଲାଂଟ ସର୍ଜରୀର କୌଣସି ବ୍ୟବସ୍ଥା ନ ଥିବାରୁ ପଶ୍ଚିମ ଓଡ଼ିଶାବାସୀ ଅଯଥା ଖର୍ଚ୍ଚାନ୍ତ ହୋଇ ଭବନେଶ୍ୱର, କଟକ ଓ ବିଶାଖାପାଟଣାକୁ ଯିବାକୁ ବାଧ୍ୟ ହେଉଛନ୍ତି । ବୁର୍ଲାସ୍ଥିତ ଭିମସାରରେ ଗେଷ୍ଟ୍ରୋକୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଜି.ଆଇ ସର୍ଜରୀ, ନେଫ୍ରୋଲୋଜି ବିଭାଗରେ ବିଭାଗୀୟ ଡାକ୍ତର ନାହାନ୍ତି । ଟ୍ରୋମା ବିଲଡିଙ୍ଗରେ ରେଡିଓଲୋଜିଷ୍ଟ ନାହାନ୍ତି । ପଶ୍ଚିମ ଓଡ଼ିଶାର ପିଏଚ୍‌ସି / ସିଏଚ୍‌ସି ମାନଙ୍କରେ କୋଭିଡ ମହାମାରୀର ମୁକାବିଲା କରିବା ପାଇଁ ସରକାର ଏ ପର୍ୟ୍ୟନ୍ତ ଆବଶ୍ୟକ ଭିତିଭୂମି ସୃଷ୍ଟିକରି ନାହାନ୍ତି । ଏପରିକି କୋଭିଡ ମହାମାରୀର ମୁକାବିଲା ପାଇଁ ଅକ୍ସିଜେନ ବେଡର ବ୍ୟବସ୍ଥା ମଧ୍ୟ କରି ନାହାନ୍ତି । ଫଳରେ ଗ୍ରାମାଂଚଳର ଜନସାଧାରଣ ହଇରାଣ ହେଉଛନ୍ତି । ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରି ବିଜେପି କହିଛି, ଓଡ଼ିଶା ସରକାର କରୋନାର ତୃତୀୟ ଲହର ଆସିବା ବିଷୟକୁ ଆଶଙ୍କା କରୁଥିବା ସତ୍ୱେ ପଶ୍ଚିମ ଓଡ଼ିଶାରେ ଶିଶୁମାନଙ୍କ ଆବଶ୍ୟକତା ପାଇଁ ପିଏଚ୍‌ସି / ସିଏଚ୍‌ସି / ଏସ୍‌ଡ଼ିଏଚ୍‌ ଏବଂ ଜିଲ୍‌ଲ୍ଲା ମୁଖ୍ୟ ଡ଼ାକ୍ତରଖାନା ମାନଙ୍କରେ ଡେଡିକେଟେଡ କୋଭିଡ କେଆର ସେଂଟର ସହ ଅକ୍ସିଜେନ ବେଡର ବ୍ୟବସ୍ଥା କରି ନାହାନ୍ତି । ପଶ୍ଚିମ ଓଡ଼ିଶାର ପିଏଚ୍‌ସି / ସିଏଚ୍‌ସି / ଏସ୍‌ଡ଼ିଏଚ୍‌ ଏବଂ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ମାନଙ୍କରେ ଆବଶ୍ୟକ ସଂଖ୍ୟକ ଡାକ୍ତର / ସ୍ପେସାଲିଷ୍ଟ / ଟେକ୍ନିସିଆନ ନାହାନ୍ତି ।

ତେବେ ବିଜେପି ପକ୍ଷରୁ ଦାବୀ କରାଯାଇଛି ଯେ, ପଶ୍ଚିମାଂଚଳର ସମସ୍ତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ମାନଙ୍କରେ କୋଭିଡ ମହାମାରୀକୁ ଚିହ୍ନଟ କରିବା ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟର ବ୍ୟବସ୍ଥା କରାଯାଉ । ପଶ୍ଚିମାଂଚଳରେ ଥିବା ସମସ୍ତ ମେଡିକାଲ କଲେଜରେ ଆର୍‌ଟିପିସିଆର୍‌ ଟେଷ୍ଟର କାପାସିଟିକୁ ଜନସାଧାରଣଙ୍କର ସୁବିଧା ପାଇଁ ବୃଦ୍ଧି କରାଯାଉ ଓ ଟେଷ୍ଟିଂ ରିପୋର୍ଟ ଯେମିତି ୧୨ ଘଂଟା ମଧ୍ୟରେ ମିଳି ପାରିବ ତାହାର ବ୍ୟବସ୍ଥା କରାଯାଉ ।

ବିଜେପି କହିଛି ଯେ, ଓଡ଼ିଶା ସରକାରଙ୍କର ଆନ୍ତରିକତା ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଭିତିଭୂମିର ବିପର୍ୟ୍ୟସ୍ତ ବ୍ୟବସ୍ଥା ପାଇଁ ପଶ୍ଚିମ ଓଡ଼ିଶାର ଭିମସାରକୁ ଅବହେଳା କରୁଥିବାରୁ ପଶ୍ଚିମ ଓଡ଼ିଶାବାସୀଙ୍କ ଜନ ଅସନ୍ତୋଷ ବର୍ତମାନ ଆଂଚଳିକ ବୈଷମ୍ୟବାଦର ଜନ ଆନ୍ଦୋଳନର ରୂପ ନେବାକୁ ପ୍ରସ୍ତୁତ ହେଲାଣି । ତେଣୁ ଉପରୋକ୍ତ ସମସ୍ୟାର ସମାଧାନ ନିମନ୍ତେ ନିଜେ ହସ୍ତକ୍ଷେପ କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଭିତିଭୂମି ଯୋଗାଇଦେବାକୁ ଭିମସାରର ନିର୍ଦ୍ଦେଶକଙ୍କୁ ସ୍ୱାଧୀନ କ୍ଷମତା ପ୍ରଦାନକରି ବଜେଟରେ ସ୍ୱତନ୍ତ୍ର ପାଣ୍ଠି ସହ ଏକମୋ ମେସିନର ବ୍ୟବସ୍ଥା କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର ରାଜ୍ୟପାଳଙ୍କୁ ବିଜେପି ପକ୍ଷରୁ ନିବେଦନ କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଦାବୀପତ୍ର ଗ୍ରହଣ କରିଥିବା ବେଳେ ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବରିଷ୍ଠ ବିଜେପି ନେତା ପ୍ରଭାସ ପାଣିଗ୍ରାହୀ, ଅମିତ ସିଂ ନିନା, ଯୁବନେତା ରାକେଶ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.