ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ଦାବୀରେ ନେତାଜୀ ସଂଗ୍ରାମ ପରିଷଦର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବୀରେ ନେତାଜୀ ସଂଗ୍ରାମ ପରିଷଦ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆନ୍ଦୋଳନକାରୀମାନଙ୍କ ତରଫରୁ କୁହାଯାଇଛି ଯେ, ରାଜ୍ୟ ସରକାର କେବିକେ ଅଂଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ସମଗ୍ର କେବିକେ ଅଂଚଳରେ ଏକ ନୂତନ ଉତ୍ସାହ ଦେଖା ଦେଇଥିଲା । ତେବେ ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମସ୍ତ ଭିତ୍ତିଭୂମି ରହିଥିବାରୁ ବଲାଙ୍ଗିରରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ମହଲରେ ସ୍ୱର ଉଠିଥିଲା ।

ବିଭିନ୍ନ ସମୟରେ ବହୁ ଅନୁଷ୍ଠାନ ଏହାକୁ ନେଇ ଆନ୍ଦୋଳନ ମଧ୍ୟ କରିଥିଲେ । ତେବେ ରାଜ୍ୟ ସରକାର ତାଙ୍କର ଘୋଷଣାକୁ ସମ୍ପୁର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଏହା ସହିତ ବଲାଙ୍ଗିର ହେଉଛି ଏକ ଦାଦନ ପ୍ରବଣ ଓ ଚିର ମରୁଡି ପ୍ରବଣ ଅଂଚଳ । ବଲାଙ୍ଗିର ଏକ ଶିଳ୍ପବିହୀନ ଜିଲ୍ଲା ହୋଇଥିବା ବେଳେ ନିଶ୍ଚିତ ଜଳସେଚନର ହାର ମାତ୍ର ୩ ପ୍ରତିଶତ । ଜିଲ୍ଲାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ବଲାଙ୍ଗିର ଜିଲ୍ଲାରେ ଉନ୍ନତମାନର କପା ଓ କେନ୍ଦୁପତ୍ର ଉତ୍ପାଦିତ ହୋଇଥାଏ । ଧାନ ସହିତ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟର ମଧ୍ୟ ଉତ୍ପାଦିତ ହୋଇଥାଏ । ବାସ୍ତବରେ ଦେଖିବାକୁ ଗଲେ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟାଇବାର ସମସ୍ତ ପ୍ରକାର ଭିିତ୍ତିଭୂମି ଥିଲେ ମଧ୍ୟ ରାଜନୈତିକ ଉଦାସୀନତା ଯୋଗୁଁ ଜିଲ୍ଲାର ଅର୍ଥନୀତି ରସାତଳଗାମୀ ହେବାରେ ଲାଗିଛି । ଏହି ସବୁ ଦୃଷ୍ଟିରୁ ଦେଖିଲେ ତଥା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେଲେ କୃଷି ବିଶ୍ୱବିଦ୍ୟାଳୟ ବଲାଙ୍ଗିରରେ ପ୍ରତିଷ୍ଠା ହେବା ଉଚିତ । କାରଣ ବଲାଙ୍ଗିର ସହର ନିକଟସ୍ଥ ଲର୍କିପାଲି ଠାରେ ବହୁ ପୁରାତନ ଗ୍ରାମସେବକ ତାଲିମ କେନ୍ଦ୍ର ରହିଛି । ବର୍ତ୍ତମାନ ଏହା ଆଂଚଳିକ ତାଲିମ ସଂପ୍ରସାରଣ ପ୍ରତିଷ୍ଠାନ ଭାବେ ପରିଚିତ । ୧୯୪୯ ମସିହାରୁ ଏହି ପ୍ରତିଷ୍ଠାନରେ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ ସହିତ ଉନ୍ନତମାନର ତାଲିମ ପ୍ରଦାନ କରାଯାଉଛି । ଏତତ୍ ବ୍ୟତୀତ ଲର୍କିପାଲି ଠାରେ ଜିଆ ପ୍ରଜଯନ କେନ୍ଦ୍ରର ପ୍ରୟୋଗଶାଳା, ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ର ଓ କୃଷି କ୍ଷେତ୍ରର ବିକାଶ ପାଇଁ ଗବେଷଣା କେନ୍ଦ୍ର ରହିଛି । ଲର୍କିପାଲି ଠାରେ ଏକ ବିରାଟ ଜଳ ଉତ୍ସ ରହିବା ସହିତ କୃଷି ବିଭାଗର ବହୁ ପରିମାଣରେ ଜମି ରହିଛି । ଇତି ମଧ୍ୟରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମଧ୍ୟ ସମ୍ପୁର୍ଣ୍ଣ ହେବାର ସମ୍ଭାବନା ରହିଛି । ଏହି ସବୁକୁ ଦୃଷ୍ଟିରେ ରଖି ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ବୋଲି ନେତାଜୀ ସଂଗ୍ରାମ ପରିଷଦ ଦାବି କରିଛି । ସଂଗ୍ରାମ ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଦିଆଯାଇଥିବା ଧାରଣାରେ ବଲାଙ୍‌ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣୀଗ୍ରାହୀ, ନାଗରିକ କମିଟିର ନୀଳମଣୀ ମିଶ୍ର, ବିଷ୍ଣୁ କେଡିଆ, ଦେବାଶିଷ ବିଶ୍ୱାଲ, ଅଶୋକ ରାଉତ, ଅମନ ନାଗ, ରିଲୁ ରଥ, ଜଗନ୍ମାଥ ମହାରଣା , ଇଂ.ହିତେଷ ସାହୁ, ଅସୀମ ଭୋଇ, ରଘୁ ନନ୍ଦନ ସିଂ, ଭାସ୍କର ନାଏକ, ଗୋପାଳ ଚନ୍ଦ୍ର ହୋତା, ଡ.ବିପିନ କୁଶଲିଆ ଓ ଗୋବର୍ଦ୍ଧନ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.