୨୦୧୯-୨୦ ବର୍ଷର ଫସଲ ବୀମା ଦାବୀ ନେଇ କରୁଆଁମୁଣ୍ଡା ପଂଚାୟତ କୃଷକ ସଂଘର ୧୦ ଘଂଟିଆ ରାସ୍ତା ରୋକୋ : ତହସିଲଦାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ସଂଧ୍ୟା ୬ଟା ୩୩ରେ ସ୍ୱଭାବିକ ହେଲା ଗମନା ଗମନ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଂଚାୟତର ଚାଷୀମାନେ ଗତ ୨୦୧୯ ବର୍ଷର ଫସଲ ବୀମା ପାଇ ନ ଥିବା ଯୋଗୁଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଲିଖିତ ଜଣାଇଲା ପରେ ତାର କୌଣସି ପ୍ରତିକାର ନ ମିଳିବାରୁ ବୁଧବାର ଦିନ ରାସ୍ତା ରୋକୋ କରାଯାଇଛି । କଂଟାବାଂଜି-ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ. ୪୨କୁ ସର୍ଗିଗୁଡା ଛକ ଠାରେ ସକାଳ ୧୦ଟାରୁ ସଂଧ୍ୟା ସାଢେ ଛଅଟା ଯାଏ ଅବରୋଧ କରିଥିଲେ । ଫଳରେ ଉଭୟ ପଟୁ ଶହ ଶହ ଯାନବାହାନ ଗାଡି ମୋଟର ଅଟକି ରହିଥିଲା । ସକାଳ ୧୦ଟାରୁ ସ୍ଥାନୀୟ କଂଟାବାଂଜି ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲ ଘଟଣାସ୍ଥଳରେ ପୋଲିସ ମୁତୟନ କରି ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ । ସ୍ଥାନୀୟ ତହସିଲଦାର ଜିଲ୍ଲାପାଳ ବଲାଙ୍ଗିର ବିଭାଗୀୟ ମିଟିଙ୍ଗକୁ ଯାଇଥିବାରୁ ସଂଧ୍ୟା ଯାଏ କୌଣସି ସମାଧାନର ବାଟ ଫିଟି ନ ଥିଲା । ସଂଧ୍ୟା ସାଢେ ଛଅଟାରେ ତହସିଲଦାର ତଥା ଏକ୍‌ଜ୍ୟୁକ୍ୟୁଟିଭ ମାଜିଷ୍ଟ୍ରେଟ ଅଶୋକ କୁମାର ମାଝି ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ସତ୍ୱେ ଫସଲବୀମା ଦାବୀ ନେଇ ଅଡି ବସିଥିଲେ ଆନ୍ଦୋଳନକାରୀ । ଏପରିକି ୨/୩ ଥର ଜିଲ୍ଲାପାଳ ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଏବଂ ସୌଜନ୍ୟ ସାକ୍ଷାତ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାରୋକୋ କରିଥିବା କହି ଜିଦ୍‌ ଧରିଥିଲେ ଆନ୍ଦୋଳନକାରୀ । ଜିଲ୍ଲାପାଳ ବଲାଙ୍ଗିରଙ୍କ ସହ ସିଧାସଲଖ ତହସିଲଦାର ମାଝିଙ୍କ ପ୍ରତିନିଧିତ୍ୱରେ ଆଲୋଚନା କରି ସତ୍ୟାସତ୍ୟ ଅନୁସଂଧାନ କରାଯିବ । ଚାଷୀଙ୍କ ହକ୍‌ ପାଇବା ପାଇଁ ଚେଷ୍ଟା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନକାରୀମାନେ ରାସ୍ତା ରେକୋରୁ ଓହରିଥିଲେ । ଏହି ରାସ୍ତା ରୋକୋରେ କରୁଆଁମୁଣ୍ଡା କୃଷକ ସଂଘର କୁମର ପୁଟେଲ, ଦୀନ ପୁଟେଲ, ବୁଦ୍ଧି ବଉକ, ଚାଷୀ ନେତା ଲକ୍ଷ୍ମଣ ବାଗ ସହ ପଂଚାୟତର ଶତାଧିକ ଚାଷୀ ସାମିଲ ଥିଲେ । ରାସ୍ତା ରୋକୋକୁ ନିୟନ୍ତ୍ରଣ କରିବା ପାଇଁ ଆଇଆଇସି କନ୍ଦନକେଲଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ସବ୍‌ ଇନ୍ସପେକ୍ଟର ହୀରା ଖାଲକୋ, ସବ୍‌ ଇନ୍ସପେକ୍ଟର ମଲ୍ଲିକ ବାବୁ ସହ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.