ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଟିଟିଲାଗଡ଼ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ଦ୍ୱିତୀୟ ମ୍ୟାଚ ଟିଟିଲାଗଡ଼ ଓ ୟଙ୍ଗ ଷ୍ଟୁଡେଣ୍ଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ଟିଟିଲାଗଡ଼ ପ୍ରଥମେ ୟଙ୍ଗ ଷ୍ଟୁଡେଣ୍ଟ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ୪୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୯ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପଲ୍ଲବ ନାଗ ସର୍ବାଧିକ ୩୮ରନ୍‌ ଓ ମାନସ ମିଶ୍ର ୨୦ ରନ୍‌ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ବିକି ନାଗ ଓ ଶୈଲେସ ପଟ୍ଟନାୟକଙ୍କ ସଠିକ ବୋଲିଂର ମୁକାବିଲା କରିପାରିନଥିଲେ ଫଳରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଟିଟିଲାଗଡ଼ ଦଳ ପକ୍ଷରୁ ବିକି ନାଗ ୩ ଗୋଟି ଉଇକେଟ ଓ ଶୈଲେସ ପଟ୍ଟନାକୟ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୧୬୦ ରନ୍‌ର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଳାଇଥିବା ଟିଟିଲାଗଡ଼ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟାୟ ସତ୍ତେ୍ୱ ୩୨.୨ ଓଭରରେ ୪ ଉଇକେଟ ବିନିମୟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଟିଟିଲାଗଡ଼ ଦଳ ପକ୍ଷରୁ ଶୈଲେସ ପଟ୍ଟନାୟକ ଅପରାଜିତ ୭୬ ରନ୍‌ ଓ ରୋହିତ କୁମାର ୩୮ ରନ୍‌ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ପଲ୍ଲବ ନାଗ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ ଏତ୍‌ତ ବ୍ୟତିତ ଅନ୍ୟ କୌଣସି ବୋଲର ଟିଟିଲାଗଡ଼ ଦଳର ବ୍ୟାଟ୍ସମ୍ୟାନମାନଙ୍କୁ ବିଶେଷ ପ୍ରଭାବ ପକାଇ ପାରିନଥିଲେ । ଆଜିର ଏହି ମ୍ୟାଚରେ ଶୈଲେସ ପଟ୍ଟନାୟକଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଯୋଗୁଁ ଶ୍ରେଷ୍ଠ ଖେଳାଳୀ ଭାବେ ଘୋଷିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ୍‌ ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତା କାଲି ଶୁକ୍ରବାର ସୁପର ଲିଗ୍‌ର ତୃତୀୟ ମ୍ୟାଚଟି ୟଙ୍ଗ ଷ୍ଟୁଡେଣ୍ଟ ଓ ନବକିଶୋର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.