
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଏକକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅବିରତ ଚାଲିଛି । ଭୋଟର ତାଲିକାର ଚୂଡାନ୍ତ ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶୁକ୍ରବାର ଆଲୋଚନା କରି ଜଣାଇଛନ୍ତି ଯେ, ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ହେତୁ ଭୋଟର ତାଲିକାଟି କିଭଳି ନିର୍ଭୁଲ ଭାବେ ପ୍ରକାଶିତ ହେବ ସେଥି ସକାଶେ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଇଛି । ତଥାପି କୌଣସି ତୃଟି ଥିଲେ ସେଗୁଡିକ ସଂଶୋଧିତ ହୋଇପାରିବ । ଏଥି ସକାଶେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସଂଶୋଧିତ ହୋଇଛି ସେଗୁଡିକୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବଣ୍ଟନ କରି ଏଥିରେ ତୃଟି ଥିବା ପରିଲକ୍ଷିତ ହେଲେ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ତାଲିକାଟି ପୂର୍ଣ୍ଣାଙ୍ଗ ତୃଟି ନ ଥାଇ ପ୍ରକାଶିତ ହେବ । ସେଥି ସକାଶେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଥିଲେ । ଏ ଯାବତ୍ ଗଞ୍ଜାମ ଜିଲ୍ଲାରେ ୨୯୪୬୦୧୬ ଭୋଟର ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୧୪୨୫୬୧୪ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୫୨୦୧୨୯ ଏବଂ ୨୭୩ ଜଣ ତୃତୀୟ ଲିଙ୍ଗ ଭୋଟର ତାଲିକାଭୁକ୍ତ ରହିଥିବା ଜିଲ୍ଲାପାଳ ଅବଗତ କରାଇଥିଲେ । ଉକ୍ତ ଭୋଟର ତାଲିକାରେ ୪୬୯୫୧ ଜଣ ଭିନ୍ନକ୍ଷମ ବ୍ୟକ୍ତି, ୫୩୮୬୯ ଜଣ ବରିଷ୍ଠ ନାଗରିକ (ଯେଉଁ ମାନଙ୍କର ବୟସ ୮୦ ବର୍ଷରୁ ଅଧିକ) ବ୍ୟକ୍ତି ଅଛନ୍ତି । ଜିଲ୍ଲାରେ ସମୁଦାୟ ୩୦୭୭ ଗୋଟି ଭୋଟ ସଂଗ୍ରହ କେନ୍ଦ୍ର ସ୍ଥାପନ ହେବା ନେଇ ସୂଚନା ପ୍ରଦାନ କରିଥିଲେ । ଭୋଟର ତାଲିକାରେ ବାଦ୍ ପଡିଯାଇଥିବା ବ୍ୟକ୍ତି ଯଦି ଅଛନ୍ତି ତେବେ ସେମାନେ ମଧ୍ୟ ନିର୍ଦ୍ଧାରୀତ ଫର୍ମ ୬ ପୂରଣ କରି ସେମାନଙ୍କ ନାମ ଭୋଟର ତାଲିକାରେ ସଂଯୋଗ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ । ଚଳିତ ଥର ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ ମେସିନ୍ (ଇଭିଏମ୍) ଭୋଟଦାତାଗଣ କିଭଳି ନିଜ ନିଜର ମତ ସାବ୍ୟସ୍ତ କରିବେ ସେହି ପ୍ରକ୍ରିୟା ଜାଣିବା ନିମନ୍ତେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇଭିଏମ୍ ରଖାଯାଇ ଜନ ସଚେତନତା କରାଯିବ । ଏଥି ସହିତ ମୋବାଇଲ ଭ୍ୟାନ୍ ଜରିଆରେ ମଧ୍ୟ ଇଭିଏମ୍ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାର ରୁଟ୍ ଚାର୍ଟ ମଧ୍ୟ ସମସ୍ତ ରାଜନୈତିକ ଦଳମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପ ଜିଲ୍ଲାପାଳ ଦେବବ୍ରତ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ନିର୍ବାଚନ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।