
ବାସୁଦେବପୁର : ଦୋକାନ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି । ଭଦ୍ରକ ଜିଲ୍ଲା ବାସୁଦେବପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ରାଧାକୃଷ୍ଣ ମୋବାଇଲ ଦୋକାନରୁ ଲୁଟ୍ ହୋଇଛି । ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଗୁରୁବାର ରାତିରେ ରାଧାକୃଷ୍ଣ ମୋବାଇଲ ଦୋକାନର ମାଲିକ ଦିବ୍ୟ ପଣ୍ଡା ଦୋକାନ ବନ୍ଦ କରି ଚାଲିଯାଇଥିଲେ । ଆଜି ସକାଳେ ପାଖ ଦୋକାନୀ ଉକ୍ତ ଦୋକାନର ସଟର ଭଙ୍ଗା ହୋଇଥିବା ଦେଖି ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ଦିବ୍ୟ ପଣ୍ଡା ଦୋକାନରେ ପହଞ୍ଚି ଲୁଟ୍ ହୋଇଥିବା ଜାଣି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ସହ ନଗଦ ୬୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି । ଚୋରମାନେ ପ୍ରଥମେ ସିସିଟିଭି କ୍ୟାମେରାକୁ ଭାଙ୍ଗି ତାପରେ ଚୋରି କରିଛନ୍ତି । ଚୋରମାନଙ୍କୁ ଧରିବାକୁ ପୁଲିସ ଛାନଭିନ୍ ଚଳାଇଛି ।