ଘର ମାଲିକ ଅନୁପସ୍ଥିତର ସୁଯୋଗ ନେଇ ଚୋରୀ : ଘରୁ ତାଲା ଭାଙ୍ଗି ଟଙ୍କା, ସୁନା ଲୁଟ : ସନ୍ଦେହରେ ଯୁବକ ଅଟକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ସୁରାଦେଇ ଗ୍ରାମରେ ରହୁଥିବା ସୁନା ଦୋକାନୀ ନିରଞ୍ଜନ ପୃଷ୍ଟି ସପରିବାର ଘରେ ନଥିବା ବେଳେ ତାଙ୍କ ଘର ତାଲା ଭାଙ୍ଗି ଚୋରୀ ହୋଇଥିବା ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ନିରଞ୍ଜନ ତାଙ୍କର ପରିବାର ସହ ୨୨ ତାରିଖ ଅପରାହ୍ନରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଲୁଣିବାହଲ ଅଞ୍ଚଳକୁ ଏକ ବିବାହ କାର୍ୟ୍ୟରେ ଯୋଗଦେବାକୁ ଯାଇଥିଲେ । ପରଦିନ ୨୩ ତାରିଖ ଅପରାହ୍ନରେ ଘରକୁ ଫେରିବା ସହ ଘରର ଦୁଇଟି ବଖରା ତାଲା ଭଙ୍ଗା ଯାଇଥିବା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେବା ସହ ଥାନାରେ ଲିଖିତ ଏତଲା ଦେଇଥିଲେ । ନିରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ଏସଆଇ ବିକାଶ କୁମାର ମଲ୍ଲିକ, ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ପ୍ରମୁଖଙ୍କ ସହ ସନ୍ଧାନୀ କୁକୁର ଟିମ ଆସି ଅନୁସନ୍ଧାନ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଘରକୁ ସନ୍ଧାନୀ କୁକୁର ପ୍ରବେଶ କରିଥିଲା । ସନ୍ଧାନୀ କୁକୁର ପ୍ରବେଶ କରିଥିବା ଘରର ଜଣେ ଯୁବକକୁ ପୋଲିସ ସନ୍ଦେହରେ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି । ପ୍ରାଥମିକ ଅଭିଯୋଗ ପରେ ପୋଲିସ ଉପସ୍ଥିତରେ ନିରଞ୍ଜନ ତାଙ୍କର ସମସ୍ତ ସାମଗ୍ରୀ ଯାଞ୍ଚ କରିଥିବା ବେଳେ ନିରଞ୍ଜନ ନିଜର ଆଲମିରା ଭିତରେ ରଖିଥିବା ପ୍ରାୟ ୩୦ ହଜାର ଟଙ୍କା ଏବଂ ୬୦୦ ଗ୍ରାମ ସୁନା ଆଲମିରା ଭାଙ୍ଗି ଚୋରି ହୋଇଥିବା କହିଛନ୍ତି । ଏନେଇ ପୋଲିସ ସନ୍ଦେହ କରିଥିବା ଯୁବକଙ୍କ ଘରକୁ ଯାଞ୍ଚ କରିଥିବା ବେଳେ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଅଟକ ରଖାଯାଇଥିବା ଯୁବକ ଆଗରୁ ମଧ୍ୟ ଖଜୁରୀପଡ଼ା ଅଞ୍ଚଳରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ୟ୍ୟରେ ସମ୍ପୃକ୍ତ ରହିଥିବା ବେଳେ ପୋଲିସ ଏବଂ ଜନ ସାଧରଣଙ୍କ ସନ୍ଦେହ ବଢ଼ିବାରେ ଲାଗିଛି । ଖଜୁରୀପଡା ଥାନାରେ ଏନେଇ ୪୦/୨୧ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ସବଇନସ୍ପେକ୍ଟର ବିକାଶ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.