ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଅ, ନ ହେଲେ ୧୭ ଜାନୁୟାରୀରୁ ଅନିର୍ଦ୍ଦିଷ୍ଟ କାଳ ସତ୍ୟାଗ୍ରହ – ଜମାକାରୀ ମିଳିତ ମଂଚ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାର ମୁରିବାହାଲ ତହସିଲ ଅଂଚଳର ପଞ୍ଜି ସ୍କିମ (ଚିଟଫଣ୍ଡ) କ୍ଷତିଗ୍ରସ୍ତ ଜମାକାରୀମାନେ ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ ଓ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବୀରେ ତହସିଲ ସମ୍ମୁଖରେ ଜମାକାରୀ ଗଣ ସତ୍ୟାଗ୍ରହରେ ଯୋଗଦେଇଛନ୍ତି । ତହସିଲ ଜରିଆରେ ଜମାକାରୀ ଚିହ୍ନଟ ଓ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଭଳି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୭ ଜାନୁୟାରୀଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜମାକାରୀ ଗଣ ସତ୍ୟାଗ୍ରହ ଦିବାରାତ୍ର ଚାଲୁ ରହିବ ବୋଲି ଚେତାବନି ଦିଆଯାଇଛି । ଆଜି ମୁରିବାହାଲ ଡାକ ବଙ୍ଗଳା ଛକଠାରୁ ବାହାରି ମୁରିବାହାଲ ତହସିଲ ପହଞ୍ଚିବା ପରେ ମଂଚର ବ୍ଲକ ସଭାପତି ଦଶରଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସତ୍ୟାଗ୍ରହ ସଭାରେ ଜମାକାରୀ ମିଳିତ ମଂଚ ସଭାପତି ଜୟନ୍ତ ଦାସ, ସାଧାରଣ ସଂପାଦକ ମଧୁସୁଦନ ବିଶ୍ୱାଲ, ଉପସଭାପତି ବିଭୁଦତ୍ତ ମିଶ୍ର, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ରାଜ୍ୟ କମିଟି ସଭ୍ୟ ଲଳିତ ଦୀପ, ସୁରଥ ଧରୁଆ, ନବ କୁମାର ଖେତି, ମଧୁବନ ମେହେର, ଗାୟତ୍ରୀ ଦାସ, ପୃଥ୍ୱୀରାଜ ସିଂ ବାଗ, ଚୁଡାମଣୀ ବାଗ, ଯୋଗେଶ ଛତ୍ରିଆ, ଗୋକୁଳ ଭୋଇ, ଗୋପ ନାଗ, ସୁଶାନ୍ତ ମହାନ୍ତି ପ୍ରମୁଖ ଉଦ୍ବୋଧନ ଦେଇ ସରକାରୀ ପ୍ରୋତ୍ସାହନରେ ଠକ କଂପାନୀମାନେ ଜମାକାରୀଙ୍କ ଠାରୁ ଜମା ଟଙ୍କା ନେଇ ଉଭାନ୍ ହୋଇଥିବା ବେଳେ ଠକେଇ ଘଟଣା ଗଣମାଧ୍ୟମ ଲୋକ ଲୋଚନକୁ ଆଣିବା ପରେ ଜମାକାରୀ ଆନ୍ଦୋଳନ ହେବାରୁ ମୁଖ୍ୟମନ୍ତ୍ରୀ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶୃତି ଦେଇ ବାରମ୍ବାର ଭୋଟ ନେଇ କ୍ଷମତାରେ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଜମାକାରୀଙ୍କ ଟଙ୍କାରେ କଂପାନୀମାନେ କରିଥିବା ହଜାର ହଜାର କୋଟି ଟଙ୍କାର ସଂପତ୍ତି, ବ୍ୟାଙ୍କ ବାଲାନ୍ସ, ଜମି ଜମା, କୋଠାବାଡି, ଗାଡି, ଶିଳ୍ପ ଇତ୍ୟାଦିକୁ ସରକାର ଜବତ କରି ବିକ୍ରି କରି ସେ ଅର୍ଥ ସରକାର ନିଜେ ନିଜ ପାଖରେ ରଖି ଜମାକାରୀଙ୍କୁ ନ ଫେରାଇ ଖାଇଗଲେଣି । କେବଳ ସେତିକି ନୁହେଁ ସାହାରା ଭଳି କଂପାନୀ ୪ଟି ମଲ୍ଟି ଷ୍ଟେଟ କୋ ଅପରେଟିଭ୍ ମାଧ୍ୟମରେ ସ୍କିମ ଭିତ୍ତିରେ ଟଙ୍କା ଜମା ନେଇ ପରିପକ୍ୱ ରାଶି ନ ଫେରାଇ କେବଳ ନୁଆ ସ୍କିମର ଜମା ରସିଦ ଦେଇ ଜାମାକାରୀଙ୍କ ଗତ ୭/୮ ବର୍ଷ ହେଲା ଟଙ୍କା ଫାଙ୍କି ଚାଲିଛି । ପୋଲିସ ତା ବିରୋଧରେ ଇତାଲା ନେଉ ନାହିଁ । ସରକାରଙ୍କ ଛତ୍ରଛାୟା ତଳେ ଏବେ ମଧ୍ୟ ଲୁଟ ଲାଗିଛି । ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ସଫଳତା ପରେ ଜମାକାରୀ ଏବେ ସଂକଳ୍ପ ନେଲେଣି ଯେ, ସମସ୍ତ ଜମାକାରୀ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ବସି ରହିବେ । ଶେଷରେ ତହସିଲଦାର ଦାବୀପତ୍ର ଗ୍ରହଣ କରି ତହସିଲ ଜରିଆରେ ଯାଞ୍ଚ ପାଇଁ ଆସିଥିବା ଜମାକାରୀଙ୍କ ତାଲିକା ମଂଚ ସହାୟତା ନେଇ ଖୁବ୍ ଶୀଘ୍ର ଯାଞ୍ଚ ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶୃତି ଦେଇଥିଲେ ।