ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଳିତ ବର୍ଷ ଖରିଫ ଧାନ କ୍ଷେତରେ ଅଜଣା ରୋଗ ଆକ୍ରାନ୍ତ ଯୋଗୁଁ ଧାନ ଫସଲ ବ୍ୟାପକ ଭାବେ କ୍ଷତି ହେତୁ ଚାଷୀ ଚିନ୍ତାରେ । କୃଷି ବୈଜ୍ଞାନିକଙ୍କ ପରାମର୍ଶ ପ୍ରତିଷେଧାତ୍ମକ ଔଷଧ ପ୍ରୟୋଗ କରାଗଲେ ମଧ୍ୟ ରୋଗ ଥମିବାର ନାମ ଧରୁନି । ଗୋଟିଏ ଗୋଟିଏ ପ୍ୟାଚରେ ୪୦ ଏକରରୁ ଅଧିକ ଫସଲ ରୋଗାକ୍ରାନ୍ତ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ମୁନିନ୍ଦା, ସାଉରିଆ, କଲ୍ୟାଣପୁର, ଡେଲାଙ୍ଗ-କୋଠବାଡ଼, ଘନିପୁର, ଅରିଶଲ, ସୁଜନପୁର, ବେରବୋଇ ଆଦି ସହ କଣାସ ବ୍ଲକର ତ୍ରିଲୋଚନପୁର ଗ୍ରାମ ପଂଚାୟତରେ ଏହି ରୋଗ ଅଧିକ ପରିମାଣରେ କ୍ଷତି କରିଥିବାରୁ ଫସଲ ହରାଇବା ଆଶଙ୍କାରେ ଚାଷୀ ମ୍ରିୟମାଣ । ପୁରୀ ଜିଲ୍ଲାର ଚାଷ ଓ ଚାଷୀର ସୁରକ୍ଷା ପାଇଁ ଚାଳିଶ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ଚାଷୀ ସଂଗଠନ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଉପ ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ଡେଲାଙ୍ଗ ବ୍ଲକ ସଭାପତି ଶରତ ଚନ୍ଦ୍ର ରାଉତ, ମୁନିନ୍ଦା ପଂଚାୟତ ସଭାପତି ଉଲ୍ଲାସ ଚନ୍ଦ୍ର ନାୟକ ପ୍ରମୁଖ ଚାଷୀମାନେ ପୁରୀ ଜିଲ୍ଲାପାଳ ଓ ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ହସ୍ତକ୍ଷେପ ନିବେଦନ କରିବା ପରେ ସୋମବାର ବ୍ଲକ କୃଷି ଅଧିକାରୀ ମାନସୀ ମୃଦୁଭାଷିନୀ ପଶାୟତ ଓ ବ୍ଲକ କୃଷି ବୈଷୟିକ ସୂଚନା ଓ ପରାମର୍ଶ କେନ୍ଦ୍ର (ଆତ୍ମା ) ସଭାପତି ଲଡ଼ୁକିଶୋର ରାୟ ଓ଼ଗେର ରୋଗ ଉପଦ୍ରୁତ ବିଭିନ୍ନ ଅଂଚଳର ଧାନ କ୍ଷେତର କ୍ଷେତ୍ରୀୟ ଅନୁଧ୍ୟାନ କରିବା ସହ ଚାଷୀଙ୍କୁ ପ୍ରତିକାର ପରାମର୍ଶ ଦେଇଥିବା ସୂଚନା ମିଳିଛି । କବକ ପତ୍ରପୋଡ଼ା ରୋଗ ଧାନ କ୍ଷେତକୁ ଆକ୍ରାନ୍ତ କରିଥିବା କୃଷି ଅଧିକାରୀ ଶ୍ରୀମତୀ ପଶାୟତ ସୂଚନା ଦେବା ସହ ପ୍ରତିରୋଧ ପାଇଁ ଯଥାସାଧ୍ୟ ଉଦ୍ୟମ ଆରମ୍ଭ କର୍ାଯାଇଥିବା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ରୋଗ ଏବେ ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ କ୍ଷୟକ୍ଷତିର ପରିମାଣ ଆକଳନ ପୂର୍ବକ ଚାଷୀଙ୍କୁ କ୍ଷତି ଆନୁପାତିକ ସହାୟତା ଦେବା ପାଇଁ ନୀଳାଚଳ କୃଷକ ମହାସଂଘ ସଭାପତି ଗୋପୀନାଥ ମିଶ୍ର ଓ ଉପ ସଭାପତି ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଦାବି କରିଛନ୍ତି ।