କିରାବାହାଲ ଚାଷୀ ଓ ଲୋକଙ୍କୁ ଭେଟିଲେ ନରସିଂହ

  • ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହେଲାଣି – ନରସିଂହ
  • ଧାନର ଅଭାବି ବିକ୍ରି ପରିସ୍ଥିତି ହେଲେ ସରକାର ଦାୟୀ ରହିବ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜେଡି ସରକାର ଦୀର୍ଘ ୨୪ ବର୍ଷ ଧରି ଚାଷୀଙ୍କୁ ପ୍ରତାରଣା କରିଛି । ଗତ ନିର୍ବାଚନରେ ଚାଷୀଙ୍କ ଭୋଟରେ ଜିତିଥିବା ବିଜେପି ସରକାରର ବୋନସ ଘୋଷଣା ଚାଷୀଙ୍କ ମନରେ କିଛିଟା ଆନନ୍ଦ ଦେଇଥିଲା କିନ୍ତୁ ସମୟକ୍ରମେ ଦେଖିବାକୁ ମିଳୁଛି ଏହି ସରକାର ପ୍ରତିଶୃତିରୁ ଓହରି ଯିବାରେ ବୋଧହୁଏ ରେକର୍ଡ କରିବ । ଏ ବର୍ଷ ଧାନର ଏମ୍‌ଏସ୍‌ପିରେ କେନ୍ଦ୍ର ସରକାର କିଛି ଟଙ୍କା ବଢେଇବା ସତ୍ୱେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କୁ ସେହି ବର୍ଦ୍ଧିତ ମୂଲ୍ୟରୁ ବଂଚିତ କରୁଛି । ପୁଣି ବର୍ତ୍ତମାନ କହୁଛି ୧୫୦ କ୍ୱିଣ୍ଟାଲ ଉପରେ ଅମଳ କରୁଥିବା ଚାଷୀକୁ ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନ ଉପରେ କୌଣସି ପ୍ରକାର ବୋନସ ଦିଆଯିବ ନାହିଁ । ତା’ ଉପରେ ପୁଣି କଟନି ଛଟନିର ମାଡ । ପ୍ରଥମେ କଟନି ଛଟନି ହେବ ନାହିଁ କହୁଥିବା ସରକାର ଏବେ ତା’ର କଥାରୁ ପୁଣି ଓହରୁଛି । ଏଣୁ ରାଜ୍ୟର ଚାଷୀ ଏହି ସରକାରର ପ୍ରତିଶୃତି ଚାଷୀମାନଙ୍କ ପ୍ରତି ଏକ ବଡ ପ୍ରତାରଣା ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତର କିରାବାହାଲ ଠାରେ ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ବେଳେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏ ବର୍ଷ ଧାନର ଅଭାବି ବିକ୍ରି ପାଇଁ ଖୋଦ ସରକାର କ୍ଷେତ୍ର ପ୍ରସ୍ତୁତ କରୁଛି କାରଣ ମିଲର୍ସ ଧାନମଣ୍ଡିରେ ଉପସ୍ଥିତ ରହି କଟନି ଛଟନି ପାଇଁ ଚାଷୀ ଉପରେ ଚାପ ପକାଇବା ସହ ଧାନ ଉଠାଉନାହିଁ । ଏ ସବୁରେ ସରକାର ଓ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ରହୁଛି ତେଣୁ ବର୍ତ୍ତମାନ ସମସ୍ୟା ଦେଖାଦେଉଛି ଯେ ଉନ୍ନତମାନର ଧାନ ଚାଷ କରୁଥିବା ଆମ ଚାଷୀ ବର୍ତ୍ତମାନ ବାଧ୍ୟ ହୋଇ ବହୁତ କମ୍‌ ରେଟରେ ତା’ର ଧାନ ବିକୁଛି । ସକମା ଧାନ ମଣ୍ଡିରେ ଅନେକ ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ପଡି ରହୁଥିବାରୁ ଚାଷୀଙ୍କ ମନରେ ଅଶାନ୍ତି ଭରି ରହୁଛି । ଏ ସବୁର ସମାଧାନ ପାଇଁ ଶ୍ରୀ ମିଶ୍ର ହସ୍ତକ୍ଷେପ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଆଲୋଚନା ବେଳେ ଛତାମଖନା କିରାବାହାଲ ଯୁଧିଷ୍ଟିର ସେତୁ ଉପରେ ମଦ୍ୟପମାନଙ୍କ ପ୍ରଦୁର୍ଭାବ ବଢୁଥିବା ଲୋକେ ଅଭିଯୋଗ କରିଥିଲେ । ତେଣୁ ଏ ଅଂଚଳକୁ ପୋଲିସ ପେଟ୍ରୋଲିଂର ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ରଙ୍କୁ ଲୋକେ ଅନୁରୋଧ କରିଥିଲେ । ଯୁଧିଷ୍ଟିର ସେତୁର ଆଡିବନ୍ଧ ବାରମ୍ବାର ଭାଙ୍ଗୁଥିବାରୁ ସ୍ଥାନୀୟ ଚାଷୀଙ୍କ ଫସଲ ହାନି ହେଉଛି । ଏହାକୁ ନେଇ ଶ୍ରୀ ମିଶ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ କଥା ହେବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ବେଳେ ସତ୍ୟନାରାୟଣ ମହାକୁର, ଗଣ୍ଡୁଲା ସେଠ, ସୂର୍ଯ୍ୟମଣି ବଗର୍ତ୍ତି, ପରମାନନ୍ଦ ସେଠ, ଦିନବନ୍ଧୁ ମହାକୁର, ଚମ୍ପେ ମହାକୁର, ରୋହିତ ମହାକୁର, ଦୁର୍ଯ୍ୟୋଧନ ବଗର୍ତ୍ତି, ଅବଧୁତ ବଗର୍ତ୍ତି, ପୁଟୁ ମେର୍ଲି, ଶ୍ରୀବତ୍ସ ସେଠ, ନରସିଂହ ମହାକୁର, କୁଶଧ୍ୱଜ ମାହାରଙ୍କ ସମେତ ଅନେକ ଗ୍ରାମବାସୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.