ls

ଚଳିତ ବର୍ଷ ଖରିଫ ଚାଷ ଭଲ ହୋଇଛି : ଗଞ୍ଜାମ ଜିଲ୍ଲାପାଳ

sb
  • ଗଞ୍ଜାମ ଜିଲ୍ଲାସ୍ତରୀୟ ଖରିଫ ବର୍ଷ ଧାନ ସଂଗ୍ରହ କମିଟି ବୈଠକ
  • ଧାନ ସଂଗ୍ରହ ସଂଖ୍ୟା ବୃଦ୍ଧି ନିମନ୍ତେ ଜନ ପ୍ରତିନିଧି ଅନୁରୋଧ କରିଥିଲେ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଖରିଫ ବର୍ଷ ୨୦୨୨-୨୩ ଧାନ ସଂଗ୍ରହ କମିଟି ବୈଠକ ଜୁମ ଆଭାଷି ମାଧ୍ୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେ କି, ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଖରିଫ ଚାଷ ଭଲ ହୋଇଛି । ଚାଷୀଙ୍କ ଠାରୁ ଧାନ କିଣିବା ବେଳେ ଉତ୍ତରଦାୟୀ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ଖରିଫ ଧାନ ଆସନ୍ତା ଡିସେମ୍ବର ୧୬ ତାରିଖ ଠାରୁ ୨୬ ତାରିଖ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ନିଜ ମତ ରଖି ଜଣାଇଥିଲେ ଯେ, ଧାନ ସଂଗ୍ରହ ସେଣ୍ଟର ଗୁଡ଼ିକରେ ଧାନ ବିକ୍ରୟ ନିମନ୍ତେ ଆସୁଥିବା ଚାଷୀଗଣ ଯେପରି ସୁବିଧାରେ ଧାନ ବିକ୍ରି କରିପାରିବେ ସେହି ସୁବିଧା କରିବେ, ବିଶେଷ ଭାବରେ ସେଡ଼ ପ୍ରସ୍ତୁତ, ପାନୀୟଜଳ ବ୍ୟବସ୍ଥା, ଶୌଚାଳୟ ପ୍ରଭୁତି ସହିତ ଚାଷୀଙ୍କ ଧାନ ଯେପରି ବର୍ଷା ଯୋଗୁଁ ଓଦା ହେବ ନାହିଁ ସେହି ଦିଗରେ ସମସ୍ତ ବ୍ୟବସ୍ଥା କରିବାକୁ ଜଣାଇଥିଲେ । ବୈଠକରେ ଉପସ୍ଥିତ ଜନ ପ୍ରତିନିଧି ଗଣ ଧାନ କିଣା ସଂଖ୍ୟା ବୃଦ୍ଧି କରିବାକୁ ମତ ରଖିଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୂଷା ମୁଣ୍ଡା ବୈଠକରେ ଆଲୋଚ୍ୟ ବିଷୟ ଓ ସରକାରୀ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଧାନ ସଂଗ୍ରହ କେନ୍ଦ୍ର ଗୁଡିକ ଚାଷୀଙ୍କ ସୁବିଧା ହେଲାଭଳି ନିକଟରେ ହେବ । ଚାଷୀଙ୍କ ଧାନ ବିକ୍ରି ମୂଲ୍ୟ ଧାନ ସଂଗ୍ରହ ହେବାପରେ ଅନ୍‌ଲାଇନ ମାଧ୍ୟମରେ ସେମାନଙ୍କ ଜମା ଖାତାକୁ ୨୪ ଘଣ୍ଟାରୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ ହେବ । ଗତ ୨୦୨୧-୨୦୨୨ ବର୍ଷ ୨,୯୬,୫୦୦ ମ୍ୟାଟ୍ରିକ ଟନ ଧାନ ସଂଗ୍ରହ କରିବା ନିମନ୍ତେ ସରକାରୀ ସ୍ତରରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୧,୨୪,୦୮୧ ଚାଷୀ ପଞ୍ଜିକରଣ କରିଥିବା ବେଳେ ୯୬,୪୯୧ ଚାଷୀଙ୍କ ଠାରୁ ୪୦୫୨୦୨.୦୭୪ ମ୍ୟାଟ୍ରିକ ଟନ ଧାନ ସଂଗ୍ରହ କରାଯାଇ ପାରିଥିଲା । ଚଳିତ ୨୦୨୨-୨୩ ବର୍ଷ ଖରିଫ ଧାନ ସଂଗ୍ରହ ସକାଶେ ପ୍ରଥମ ପର୍ଯ୍ୟାୟରେ ଓଏସ୍‌ସିଏସ୍‌ସି ଲିମିଟେଡ୍‌ ଏଜେନ୍ସି ମାଧ୍ୟମରେ ୨୪୬୧୬୦.୦୦ ମ୍ୟାଟ୍ରିକ ଟନ ଚାଉଳ ସକାଶେ ୩୬୭୪୦୨.୯୮୫ ମେଟ୍ରିକ ଟନ ଧାନ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି । ୨୦୨୧-୨୨ ଖରିଫ ବର୍ଷ ସକାଶେ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୧୯୪୦ ରଖାଯାଇଥିବା ବେଳେ, ଚଳିତ ୨୦୨୨-୨୩ ବର୍ଷ ଖରିଫ ସାଧାରଣ ଧାନ କ୍ୱିଣ୍ଟାଲ ପ୍ରତି ୨୦୬୦ ଟଙ୍କା ରଖାଯାଇଛି । ଚଳିତ ଖରିଫ ବର୍ଷ ଧାନ ସଂଗ୍ରହ ସକାଶେ ୩୭୦ ଗୋଟି ପ୍ୟାକ୍ସ ଦ୍ୱାରା ୧,୧୨,୬୬୮ କୃଷକଙ୍କ ଧାନ ସଂଗ୍ରହ ହେବ । ୯୩ ଗୋଟି ସେହିଭଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୧୯୬୬୬ ଜଣ କୃଷକଙ୍କ ଧାନ ସଂଗ୍ରହ ହେବ । ସେହିଭଳି ଗୋଟିଏ ପଣି ପଞ୍ଚାୟତ ଦ୍ୱାରା ୧୦୭ ଜଣ କୃଷକଙ୍କ ଧାନ ସଂଗ୍ରହ କରାଯିବ । ବିଗତ ବର୍ଷ ଭଳି ଚଳିତ ଖରିଫ ଧାନ ୩୬୬ ମିଲର ଅଂଶଗ୍ରହଣ କରିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଯଥେଷ୍ଟ ସମୟ ପୂର୍ବରୁ ଭୁବନେଶ୍ୱର ସେଣ୍ଟ୍ରାଲ ସରଭର ଦ୍ୱାରା ପଞ୍ଜିକରଣ ହୋଇଥିବା ସମ୍ପୃକ୍ତ ଚାଷୀଙ୍କୁ ସେମାନଙ୍କ ମୋବାଇଲକୁ ଟୋକେନ୍ ପ୍ରଦାନ ହେବ ଏବଂ ସେହି ଟୋକେନ୍ ଗୁଡିକର ସମୟ ଧାର୍ଯ୍ୟ ୩୦ ଦିନ ପର୍ଯ୍ୟନ୍ତ ରହିବ ।

ଚଳିତ ବର୍ଷ ଖାଦ୍ୟ ଯୋଗାଣ ଏବଂ ଖାଉଟି ସେବା ବିଭାଗ ପକ୍ଷରୁ କେବଳ ପଞ୍ଜିକରଣ ହୋଇଥିବା ଚାଷୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରି କଥା ବାର୍ତ୍ତା ରେକର୍ଡିଂଗ ( ଆଇଭିଆର୍‌ଏସ୍‌ ସିଷ୍ଟମ୍‌) ହେବାର ସୁବିଧା ବ୍ୟବସ୍ଥା କରାଯାଇଛି । ଚାଷୀଗଣ ସେମାନଙ୍କ ମୋବାଇଲ ନମ୍ବରରୁ ୧୯୬୭ ଦେୟ ମୁକ୍ତ ଫୋନ କରି ଚାଷୀଗଣ ସେମାନଙ୍କ ଚାଷ ଜମିର ବିବରଣୀ ତଥ୍ୟ ଅପସନ୍‌ ୫ ଟିପି ଜାଣିପାରିବେ, ଟୋକେନ ସ୍ଥିତି ସକାଶେ ଅପସନ୍‌ ୬ ଏବଂ ଅପସନ୍‌ ୭ ଟିପି ସେମାନଙ୍କ ଅର୍ଥ ପ୍ରାପ୍ତି ସମ୍ପର୍କିତ ତଥ୍ୟ ଜାଣିପାରିବେ । ବୈଠକରେ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତି ଭାଷନ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସମସ୍ତ ଉପଜିଲ୍ଲାପାଳ, ସମସ୍ତ ସମ୍ପୃକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ଧନ୍ୟବାଦ ଜଣାଇଥିଲେ ।

pc pk
Leave A Reply

Your email address will not be published.