୫୯ନ ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ମାରି ଟଙ୍କା, ମୋବାଇଲ ଓ ଚଣା ଲୁଟ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆବର୍ଷ ପୂର୍ବ ରାତିରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା ଅଞ୍ଚଳରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଏହି ଜାତୀୟ ରାଜପଥ ଦେଇ ଯାଉଥିବା ଜଣେ ଟ୍ରକ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ମାରି ଟଙ୍କା, ମୋବାଇଲ ଓ ଟ୍ରକରେ ବୋଝେଇ ହୋଇଥିବା ନାଗ ଚଣା ଲୁଟ୍ କରି ଫେରାର ହୋଇଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ନିସ୍ତୁକ ମାଡ଼ ଖାଇଥିବା ଟ୍ରକ୍ ଡ୍ରାଇଭର ଜଣଙ୍କ ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ଥାନା ୱାର୍ଡ ୦୩ ହାଇସ୍କୁଲପଡ଼ାର ଚତୁର୍ଭୁଜ ବାଗଙ୍କ ପୁଅ ପରମାନନ୍ଦ ବାଗ(୩୫) ବୋଲି ଜଣାପଡିଛି । ପରମାନନ୍ଦ ଥାନାରେ ଦେଇଥିବା ଏତଲା ମୁତାବକ ସେ ୩୧ତାରିଖ ଦିନ ଛତିଶଗଡ ରାଜ୍ୟ ବାଗବାହାରାର ରାଜେଶ ଅଗ୍ରୱାଲଙ୍କ ଟ୍ରକ (ସିଜି ୦୪ପିପି ୭୬୭୪)ରେ ନାଗଚଣା ବୋଝେଇ କରି ବିଶାଖାପାଟଣାରୁ ଛତିଶଗଡ, ଅମନପୁରକୁ ଯାଉଥିଲେ । ରାତି ୧୦ଟାରେ ଏହି ଥାନା ମାଲପଡ଼ା ଛକ ନିକଟ ଏକ ଢ଼ାବା ପାଖରେ ତାଙ୍କ ଟ୍ରକର ରଶି ଛିଣ୍ଡି ଯିବାରୁ ସେ ଟ୍ରକ୍ ରଖି ତାହାକୁ ବାନ୍ଧୁଥିଲେ । ଠିକ୍ ଏହି ସମୟରେ ହଠାତ୍ ତିନିଜଣ ଦୁର୍ବୃତ୍ତ ପହଞ୍ଚି ଡ୍ରାଇଭର ପରମାନନ୍ଦଙ୍କୁ ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଧମକଚମକ ଦେଇ ତୋ ପାଖରେ ଯାହା ଅଛି ଦେଇଦେ ନ ହେଲେ ତୋତେ ମାରିଦେବୁ ବୋଲି ନିସ୍ତୁକ ମାଡ଼ ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିବା ପରେ ସେ ନିଜ ପାଖରେ ରଖିଥିବା ୯ ହଜାର ଟଙ୍କା, ଧରିଥିବା ଏକ ଭିଭୋ ମୋବାଇଲ ଫୋନ୍ ଓ ୧୦ପ୍ୟାକେଟ ନାଗଚଣାକୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ନିସ୍ତୁକ ମାଡ଼ ମାରିବାରୁ ପରମାନନ୍ଦଙ୍କ ମୁଁହ ଫୁଲିଯାଇ ରକ୍ତାକ୍ତ ହୋଇଯାଇଥିଲା । ତାଙ୍କୁ ଦୁର୍ବୃତ୍ତମାନେ ମାଡ ମାରୁଥିବା ବେଳେ ଜାତୀୟ ରାଜପଥରେ ବହୁ ଗାଡ଼ିମୋଟର ଅଟକି ଯାଇଥିଲା ବେଳେ ଅନ୍ୟ ଜଣେ ବାଇକ୍ ଆରୋହୀ ମନା କରିବାରୁ ତାଙ୍କୁ ମଧ୍ୟ ସେମାନେ ମାଡ଼ମାରି ତାଙ୍କ ବାଇକକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଡ୍ରାଇଭର ବହୁ କଷ୍ଟରେ ଥାନାକୁ ଆସି ଲିଖିତ ଅଭିଯୋଗ କରିବା ପରେ ଏକ ଭିଡିଓ କରି ନ୍ୟାୟ ଭିକ୍ଷା କରିଥିଲେ । ଖବର ପାଇ ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ ଓ ଡ୍ରାଇଭର ସଂଘର କର୍ମକର୍ତ୍ତା ପହଞ୍ଚି ତାଙ୍କୁ ଆଶ୍ୱାସନା ଦେଇଥିଲେ । ଅଭିଯୁକ୍ତ ତିନିଜଣ ଦୁର୍ବୃତ୍ତ ହଳଦୀ ଓ ଆଖପାଖ ଗ୍ରାମର ବୋଲି ସନ୍ଦେହ କରାଯାଉଛି । ଏହି ଜାତୀୟ ରାଜପଥର ମାଲପଡ଼ା ଛକରେ ଥିବା ବେଆଇନ ଢ଼ାବା ଭଳି ଟିଟିଲାଗଡରୁ ବଙ୍ଗୋମୁଣ୍ଡା ରାସ୍ତା ପାଶ୍ୱରେ ବହୁ ବେଆଇନ ଢାବା ଥିବା ଯୋଗୁଁ ପ୍ରତିଦିନ ରାତିରେ ଲୁଟପାଟ, ଡକାୟତି ନିତିଦିନିଆ ଘଟଣା ହୋଇଛି । ଜାତୀୟ ରାଜପଥରେ ପୁଲିସ ପେଟ୍ରୋଲିଂ କଡାକଡି କରାଯିବାକୁ ସର୍ବସାଧାରଣରେ ଦୃଢ଼ ଦାବୀ ହେଉଛି । ଏ ସମ୍ପର୍କରେ ନୂତନ ବର୍ଷର ପ୍ରଥମ ମାମଲା ୦୧/୨୬ରୁଜ୍ଜୁ କରାଯାଇ ତନାଘନା ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସନାତନ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.