ବଲାଙ୍ଗିର, (କେପିଏନ୍ଏସ୍) : ଛତିଶଗଡ ପରିବହନ ବିଭାଗର ସହାୟତାରେ ତଥା ରାୟପୁର ସ୍ଥିତ ରାଡା ଏବଂ ପ୍ରତିଷ୍ଠିତ ମାସିକ କାର୍ଟୁନ୍ ପତ୍ରିକା ‘କାର୍ଟୁନ୍ ୱାଚ୍’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍ ପ୍ରତିଯୋଗିତାରେ ଓଡିଶାର ବହୁ ପରିଚିତ କାର୍ଟୁନିଷ୍ଟ ଦୁଇଭାଇ ଅଶ୍ୱିନୀ – ଅବନୀଙ୍କ ଏକ କାର୍ଟୁନ୍ ପ୍ରଥମ ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଜି ଦିନର ଦୁର୍ଘଟଣା ପ୍ରବଣତା ଓ ଏ ସମ୍ପର୍କିତ ସାମଜିକ ସଚେତନତାକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାଟି ‘ସଡକ ସୁରକ୍ଷା’ ବିଷୟବସ୍ତୁ ଉପରେ ଆଧାରିତ ଥିଲା । ଯୁଗ୍ମ ଭାବରେ ପୁରସ୍କାର ଲାଭ କରିଥିବା ଅଶ୍ୱିନୀ – ଅବନୀଙ୍କ ବ୍ୟଙ୍ଗ ଚିତ୍ରଟିରେ ସଡକ ସୁରକ୍ଷାକୁ ନେଇ ଏକ ସାମାଜିକ ଦାୟିତ୍ୱବୋଧ ଯେ, ରହିବା ଉଚିତ ତାହା ଅମିତାଭ – ଧର୍ମେନ୍ଦ୍ର ଯୋଡି ଅଭିନୀତ ପ୍ରସିଦ୍ଧ ‘ସୋଲେ’ ସିନେମାର ଏକ ପୋଷ୍ଟର ମାଧ୍ୟମରେ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ପ୍ରତିଯୋଗିତାର ଅନ୍ୟ ବିଜେତାଙ୍କ ମଧ୍ୟରେ ଓଡିଶାର ଦେବାଶିଷଙ୍କୁ ମଧ୍ୟ ସ୍ୱୀକୃତି ମୂଳକ ପୁରସ୍କାର ମିଳିଥିବାର ସୂଚନା ମିଳିଛି । ପ୍ରକାଶଯାଗ୍ୟ ଯେ ଅତୀତରେ ‘ରାମ ଆଏଙ୍ଗେ’, ‘ପ୍ଲାଷ୍ଟିକ ପ୍ରଦୂଷଣ’ ଆଦି ଉପରେ ଆଧାରିତ ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗିତା ତଥା ‘ଅନ୍ଫୋଲ୍ଡ ଡ୍ରିମ୍ସ୍’ ତରଫରୁ ଆୟୋଜିତ ଭିନ୍ନ ଏକ ସର୍ବଭାରତୀୟ କାର୍ଟୁନ୍ ପ୍ରତିଯୋଗିତା ଆଦିରେ ଅଶ୍ୱିନୀ – ଅବନୀଙ୍କ କାର୍ଟୁନ୍ ଗୁଡିକ ପୁରସ୍କୃତ ତଥା ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଥିଲା । ପୁନଶ୍ଚ ସୁଚନା ଦିଆଯାଇପାରେ ଯେ ଏଇ କିଛି ଦିନ ତଳେ ଇଜିପ୍ଟର ‘ସାଦି ଇନ୍ ଦ ଆଏଜ୍ ଅଫ୍ ୱାର୍ଲ୍ଡ ଅନ୍ତର୍ଜାତୀୟ ଏକ୍ଜିବିସନ’, ତୁର୍କିଏ ସ୍ଥିତ ଏଜ୍ ବିଶ୍ୱବିଦ୍ୟାଳୟ ତରଫରୁ ଆହ୍ୱାନ କରାଯାଇଥିବା ଆନ୍ତର୍ଜାତୀୟ କାର୍ଟୁନ୍ ଏକ୍ଜିବିସନ୍, ଦିଲ୍ଲୀର ‘ୱାନ୍ ଲାଇଫ୍ ୱାନ୍ ଲିଭର୍ ଅନ୍ତର୍ଜାତୀୟ ଏକ୍ଜିବିସନ୍’ ରେ ମଧ୍ୟ ଏମାନଙ୍କ କୃତି ସ୍ଥାନ ପାଇଥିଲା । ଏହା ମଧ୍ୟ ଜଣାଇ ଦିଆଯାଇପାରେ ଯେ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ବିଶ୍ୱର ଏହି ଏକମାତ୍ର ଯୁଗଳ କାର୍ଟୁନିଷ୍ଟ ଦୁଇଭାଇ ଅଶ୍ୱିନୀ – ଅବନୀ, ୨୦୧୪ ମସିହାରୁ ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇସାରିଥିବା ବେଳେ ବହୁବାର ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ମଧ୍ୟ ହୋଇସାରିଛନ୍ତି । ନେଟ୍ ଅଏଲ୍ କାର୍ଟୁନ୍ ପ୍ରତିଯୋଗିତା-ଫ୍ରାନ୍ସ, ଗୁରା ହ୍ୟୁମରୁଲୁଇ-ରୋମାନିଆ, ଡିକାକୋ-ସାଉଥ କୋରିଆ, ସାଲୋନ୍ ଅଫ୍ ଗ୍ରାଫିକ୍ ହ୍ୟୁମର-ପେରୁ, ଏଫ୍.ସି.ଡବ୍ଲୁ.–ଚୀନ୍ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଇଣ୍ଡିଆନ୍ ଏକ୍ସପ୍ରେସ୍, ଭିଲାଇ ଷ୍ଟିଲ ପ୍ଲାଂଟ, ହିନ୍ଦୁସ୍ଥାନ୍ ଟାଇମ୍ସ, କାର୍ଟୁନ୍ ୱାଚ୍ ଦ୍ୱାରା ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ସେମାନଙ୍କର ଉଲ୍ଲେଖନୀୟ କୃତିତ୍ୱ ତଥା ସମ୍ମାନଜନକ ‘ପି. ସି. ରଥ ମୋମୋରିଏଲ୍ ଅନ୍ତର୍ଜାତୀୟ କାର୍ଟୁନ୍ ପ୍ରତିଯୋଗିତା’ର ସଫଳ ଆୟୋଜନ ଓଡିଶାର ଏହି ଭ୍ରାତୃଦ୍ୱୟଙ୍କୁ ବିଶ୍ୱ ବ୍ୟଙ୍ଗଚିତ୍ର ଜଗତରେ ବେଶ୍ ପରିଚିତି ଦେଇ ପାରିଛି ।