ଖୁସି ଚାରିଟେବୁଲ ଟ୍ରଷ୍ଟ ଏବଂ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ସମାଜସେବୀମାନଙ୍କ ଦ୍ଵାରା ଏକ ବୃଦ୍ଧା ମହିଳା ଉଦ୍ଧାର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିସିଗାଁ ନିକଟରେ ଏକ ଅଜଣା ଅସହାୟ ମହିଳା କିଛିଦିନରୁ ପଡିରହିଥିଲେ । ସେ ଦୀର୍ଘ ଛଅରୁ ସାତ ଦିନ ହେଲା ଖାଇ ନଥିବା କହୁଥିଲେ । ସୂଚନା ଅନୁସାରେ ଏହି ରାସ୍ତା କଡରେ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରୁଥିଲେ ମଧ୍ୟ କାହାର ନଜର ପଡ଼ିନଥିଲା । ଉକ୍ତ ବୃଦ୍ଧା ମହିଳା ଲୋକଙ୍କୁ ଖାଇବାକୁ ଦେବା ପାଇଁ ମାଗିଥିଲେ ମଧ୍ୟ କେହି ଦେଇନଥିଲେ । ଫଳରେ ସେ ଗତ ଦୁଇଦିନ ତଳେ ରିଲାଇନ୍ସ ପେଟ୍ରୋଲ ପମ୍ପ ପାଖରେ ଥିବା ପଡିଆରେ ଆଚେତ ଅବସ୍ଥାରେ ପଡିରହିଥିଲେ । ସେଠାରେ ଗାଈ ଚରାଉଥିବା କିଛି ବ୍ୟକ୍ତି ଏହା ଜାଣି ତାଙ୍କ ପାଖକୁ ଯାଇ ତାଙ୍କୁ ଉଠାଇ ପାଣି ପିଇବାକୁ ଦେଇଥିଲେ । ପରେ ସେମାନେ ସୋସିଆଲ ଆକ୍ଟିଭିଷ୍ଟ ଅଫ୍‌ କଳାହାଣ୍ଡିର ସ୍ବେଛାସେବୀ ରାଜେଶ ଗଉଡ଼ ଓ ଖୁସି ଚାରିଟେବୁଲ ଟ୍ରଷ୍ଟର ଯଶୋବନ୍ତ ରଣାଙ୍କୁ ଉକ୍ତ ବିଷୟରେ ଜଣାଇଥିଲେ । ଦୁହେଁ ଜାଣିଲା ପରେ ଉକ୍ତ ବିଷୟକୁ ନେଇ କଳାହାଣ୍ଡି ଡିଏସ୍‌ଏସ୍‌ଓଙ୍କ ସହ ଆଲୋଚନା କରି ବୃଦ୍ଧା ମହିଳାଙ୍କୁ ଧର୍ମଗଡ଼ ଠାରେ ଥିବା ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରିବାକୁ ନିଷ୍ପତ୍ତି ନିଆଗଲା । ପରେ ଯଶୋଦା ଅନାଥ ଆଶ୍ରମର ଶ୍ୟାମସୁନ୍ଦର ଜାଲଙ୍କ ସହ ଆଲୋଚନା କରି ତାଙ୍କୁ ସେଠାକୁ ନେବାକୁ ନିଷ୍ପତ୍ତି ନିଆଗଲା । ମହିଳାଙ୍କୁ ନେବା ପାଇଁ ପଟ୍ଟନାୟକ ଆରୋ ସେଲ ଆଣ୍ଡ ସର୍ଭିସର ସୁଶାନ୍ତ ପଟ୍ଟନାୟକ ଓ ବିକାଶ ରଞ୍ଜନ ମୁଣ୍ଡ ଏକ ଅଟୋ ଭଡା କରି ଦେଇଥିଲେ । ପରେ ସମସ୍ତଙ୍କ ସହଯୋଗରେ ଡୁଙ୍ଗରିଗୁଡାଠାରୁ ଯଶୋଦା ଅନାଥ ଆଶ୍ରମକୁ ନିଆଗଲା । ସେଠାରେ ଶ୍ୟାମସୁନ୍ଦର ଜାଲ ମହିଳାଙ୍କୁ ଆପଣେଇ ରଖିଲେ । ଏହି ଉଦ୍ଧାର କାର୍ଯ୍ୟରେ ଦୁଇ ସଂଗଠନର କର୍ମକର୍ତା ଯଶୋବନ୍ତ ରଣା ଓ ରାଜେଶ ଗଉଡ଼, ଧିରେନ ସୁନାନୀ, ମମତା ପ୍ରଧାନ, ନୀଳକଣ୍ଠ ପୁଞ୍ଜି, କବି ନାଏକ, ସାନ୍ତରାଜ ପଟେଲ, ନୀଳ ପ୍ରମୁଖ ସହଯୋଗ କରିଥିଲେ । ସମାଜସେବୀମାନଙ୍କ ଏହି ପରି କାର୍ଯ୍ୟକୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.