ବଲାଙ୍ଗିର ବୈଦିପାଲି ଜଙ୍ଗଲରେ ଅଭାବନୀୟ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଗଳିତ ମୃତଦେହ । ଘଞ୍ଚ ଜଙ୍ଗଲ ଭିତରେ କ’ଣ ଘଟିଛି ମହିଳାଙ୍କ ଉପରେ ? ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ସତ୍କାର ନକରି ଜଙ୍ଗଲ ଭିତରେ ଫୋପାଡ଼ି ଦେଇଛନ୍ତି କି ? ନା’ କୌଣସି ସୈତାନ ମହିଳାଙ୍କୁ ହତ୍ୟା କରି ଜଙ୍ଗଲ ଭିତରେ ଫୋପାଡ଼ି ଦେଇଛି ? ମହିଳାଙ୍କ ପ୍ରତି ଆଉ ଅନ୍ୟ କୌଣସି ଅମାନୁଷିକ ଅତ୍ୟାଚାର କରାଯାଇନାହିଁ ତ’ ? ଏଭଳି ଅନେକ ପ୍ରଶ୍ନରେ ଛନ୍ଦି ହୋଇ ରହିଛି ସଂପୃକ୍ତ ମହିଳାଙ୍କ ମୃତ୍ୟୁ ଘଟଣା । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ବୈଦିପାଲି ଜଙ୍ଗଲ ଭିତରେ । ବଲାଙ୍ଗିର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ପୋଲିସ୍‌ ଟିମ୍‌ ଓ ସାଇଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚଞ୍ଚଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ମହିଳା ଜଣକ ଗର୍ଭବତୀ ଥିବା କୁହାଯାଉଛି । ସମସ୍ତ ଦିଗରୁ ବଲାଙ୍ଗିର ସଦର ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ମହିଳାଙ୍କ ତିନି ଚାରି ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଚିକିତ୍ସାଧୀନ ଅବସ୍ଥାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ଜଙ୍ଗଲ ଭିତରେ ଫୋପାଡ଼ି ଦେଇଥିବା ମଧ୍ୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । କିନ୍ତୁ ପୋଲିସ ଖୋଜିବ ଅସଲ୍‌ ରହସ୍ୟ । ଚାଲିଛି ତନାଘନା ତଦନ୍ତ, ତଦନ୍ତ ପରେ ଆସିବ ଘଟଣାର ଅସଲ୍‌ ଚିତ୍ର ।

Leave A Reply

Your email address will not be published.