ଡେଲାଙ୍ଗ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ପକ୍ଷରୁ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ, ଗଡ଼ ମୋଟରୀଠାରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ବିଡ଼ିଓ କ୍ଷିତିଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପାନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ବିଧାୟକ ରୁଦ୍ର ପ୍ରତାପ ମାହାରଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୁପେ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ମଣ୍ଡଳ ଶିକ୍ଷାଧିକାରୀ ବିନୋଦ ପରମାଣିକି, ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମହାରଣା, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ମୁଖ୍ୟକିରାଣୀ ଆଶିଷ କୁମାର ପାତ୍ର, ସ୍ଥାନୀୟ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ଲଲାଟ କିଶୋର ସାମନ୍ତରାୟ, ସ୍ଥାନୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ସୁଧାକର ମାର୍ଥା, ସୁଦୀପ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ । ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ସଂଯୋଜକ ସୀତାକାନ୍ତ ରାଉତରାୟ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ଖେଳକୁଦ ମଣିଷ ଜୀବନକୁ ସୁସ୍ଥ ଓ ସବଳ ରଖିଵା ଓ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟକ୍ରମ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ କରିଛନ୍ତି ଏବଂ ସେମାନଙ୍କ ଅନ୍ତର୍ନିହିତ ଶକ୍ତିକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ଯୁବ ବିଧାୟକ ମହାରଥୀ ଅଭିଭାଷଣ ରଖିଥିଲେ । କବାଡି, ଖୋ-ଖୋ, ଭଲିବଲ, ଫୁଟବଲ ଓ କ୍ରିକେଟ ଇତ୍ୟାଦି ଖେଳରେ ବ୍ଲକସ୍ତରୀୟ ଛାତ୍ରଛାତ୍ରୀ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବମୋଟ ୧୫୬ ଖେଳ ଟିମ ଭାଗ ନେଇଥିଲେ, ସେଥିମଧ୍ୟରୁ ୨୦ଟି ଖେଳ ଟିମ କୃତି ଅର୍ଜନ କରିଥିଲେ । ଚାମ୍ପିୟାୟନ ଟିମକୁ ୨୦ହଜାର, ପ୍ରଥମ ରନର୍ସ-ଅପଟିମକୁ ୧୫ହଜାର, ଦ୍ୱିତୀୟ ରନର୍ସ-ଅପଟିମକୁ ୧୦ହଜାର ଓ ତୃତୀୟ ରନର୍ସ -ଅପଟିମକୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ରାଶି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପ୍ରଦାନ କରିଥିଲେ । ଏହାସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି କୃତି ପ୍ରତିଯୋଗୀଙ୍କୁ ଦିଆଯାଇଥିଲା । ଶେଷରେ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କ୍ରୀଡା ଶିକ୍ଷକ, ବ୍ଲକ ଷ୍ଟାଫ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.