ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ କଂଗ୍ରେସ ଓ ବିଜେଡ଼ି ମୁହାମୁହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଜିଲ୍ଲା ସଂସ୍କୃତି ଭବନର ଉଦ୍‌ଘାଟନ ବେଳେ ହିତାଧିକାରୀଙ୍କୁ ଏଲ୍‌ଆର୍‌ସି ବଣ୍ଟନ କଥାକୁ ନେଇ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉଦ୍‌ଘାଟନ ପାଇଁ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ ବିଜେଡି କର୍ମୀକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ବିଜେଡି କାଉନ୍ସିଲରମାନେ ଆସି ଟାଉନ୍ ଥାନାରେ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରକାଶ ଯେ, ଗତ କିଛି ଦିନ ତଳେ ମହାରଣୀ ସାଗର ଆଡିରେ ଘର କରି ରହୁଥିବା ୧୫ଟି ପରିବାରକୁ ମ୍ୟୁନିସିପାଲିଟି ତରଫରୁ ପଟ୍ଟା ବଣ୍ଟନ କରାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବଲାଙ୍ଗିର ବିଧାୟକ । ବିଧାୟକଙ୍କୁ ବିଜେଡି କାଉନସିଲରମାନେ ଗରିବ ଲୋକଙ୍କୁ ପଟ୍ଟା ଦିଆଯାଉଥିବା କହି ପାଲଟା ଜବାବ ଦେବାରୁ କଂଗ୍ରେସ କର୍ମୀମାନେ ପାଟିତୁଣ୍ଡ କରିଥିଲେ ବୋଲି କୁହାଯାଇଛି । ତା’ପରେ ସଂସ୍କୃତି ଭବନ ହଲ୍‌ଠାରେ ହିଁ ବିଜେଡି ଓ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!