ଛତ୍ରପୁର ଏନ୍.ଏ.ସି.ର ଉପାଧ୍ୟକ୍ଷ ପଦବୀ ବିଜେଡି ହସ୍ତକୁ : ଜି. ପାପା ରାଓ ନିର୍ଦ୍ଵନ୍ଦରେ ନିର୍ବାଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପଦବୀ ବିଜେପି ହାତକୁ ଆସିଥିବା ବେଳେ ଉପାଧ୍ୟକ୍ଷ ପଦବୀ ବିଜେଡି ହସ୍ତକୁ ଆସିଛି । ସାଧାରଣରେ ବିପୁଳଭୋଟରେ ବିଜୟିନୀ ହୋଇ ପୌର-ଅଧ୍ୟକ୍ଷା ପଦବୀରେ ପୂର୍ବ-ପର୍ଯ୍ୟାୟରେ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ବିଧିବଦ୍ଧ ଭାବେ ଆସନ ଅଳଙ୍କୃତ କରିଥିବା ବେଳେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନରେ ୪ ନମ୍ବର ୱାର୍ଡର ବିଜେଡିର କାଉନ୍‌ସିଲର ଜି. ପାପା ରାଓ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଜି.ପାପା ରାଓଙ୍କ ସହଧର୍ମିଣୀ ଜି.ଆରତୀ ଜଣେ ପୂର୍ବତନ ପୌର- ଅଧ୍ୟକ୍ଷା ଅଟନ୍ତି । ପାପା ରାଓ ଛତ୍ରପୁର ସହରରେ ଦୀର୍ଘବର୍ଷ ଧରି ବିଜେଡି ସଂଗଠନ ଓ ଦଳୀୟ ପରିଚାଳନାରେ ଦାୟିତ୍ୱରେ ରହି ବେଶ ଦକ୍ଷତା ପ୍ରତିପାଦନ କରିଆସିଥିଲେ । ଶ୍ରୀ ରାଓଙ୍କ ପ୍ରାର୍ଥୀପତ୍ର ଦାଖଲରେ ୧୩ ନମ୍ବର ୱାର୍ଡର ବିଜେଡି କାଉନ୍‌ସିଲର ସୁମନ୍ତ ନାହାକ ପ୍ରସ୍ତାବକ ହୋଇଥିବା ବେଳେ ୯ ନମ୍ବର ଓ୍ବାର୍ଡର ବିଜେଡିର କାଉନ୍‌ସିଲର ପ୍ରୀତିଚ୍ଛନ୍ଦା ସାମଲ ତାଙ୍କ ସମର୍ଥକ ଥିଲେ । ପାପାଙ୍କୁ ବିଜୟୀ ଘୋଷଣା ପରେ ଛତ୍ରପୁର ଏନ୍.ଏ.ସିର ଅଧ୍ୟକ୍ଷା ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନଙ୍କ ସମେତ ସମସ୍ତ ନବନିର୍ବାଚିତ କାଉନ୍‌ସିଲର କୃତଜ୍ଞତା ଜଣାଇ ନବନିର୍ବାଚିତ ପୌର ଉପାଧ୍ୟକ୍ଷ ଜି.ପାପା ରାଓଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ଗୁରୁବାର ସକାଳ ୯ଟା ବେଳେ ସମସ୍ତ କାଉନ୍‌ସିଲର ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ୍‌ର ସମ୍ମିଳନୀ ଗୃହରେ ସମବେତ ହୋଇଥିଲେ । ବିଜୁଜନତା ଦଳର ଦଳୀୟ ଆସରରେ ଜି. ପାପା ରାଓଙ୍କ ନାମ ବିଧାୟକ ସୁବାସ ବେହେରା ଘୋଷଣା କରିଥିଲେ । ବିଜେଡି ଦଳୀୟ ଉପାଧ୍ୟକ୍ଷ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସମସ୍ତ କାଉନ୍‌ସିଲର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟାଳୟକୁ ଯାଇଥିଲେ । ପରେ ବିଧିବଦ୍ଧ ଭାବେ ନିର୍ବାଚିତ ହେବା ପରେ ସରକାରୀ ଭାବେ ଉପାଧ୍ୟକ୍ଷ ଭାବେ ଜି.ପାପା ରାଓଙ୍କ ନାମ ଘୋଷଣା ହୋଇଥିଲା । ପରେ ପାପାଙ୍କ ସମର୍ଥକମାନେ ବାଜା ଓ ବାଣ ଫୁଟାଇ ଉତ୍ସବକୁ ଖୁସି ମନାଇଥିଲେ । ଏହା ପରେ ସମସ୍ତ କାଉନସିଲର ପୌର-ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶର୍ମିଷ୍ଠାଙ୍କ ପତି କେ.ଚନ୍ଦ୍ର ଶେଖର ରେଡ୍ଡୀ ଓ ବିଧାୟକଙ୍କ ସହ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମିଷ୍ଟାନ୍ନ ଖୁଆ ଖୋଇ ହୋଇ ଖୁସି ମନାଇଥିଲେ । ବରିଷ୍ଠ ପୂର୍ବତନ କାଉନ୍‌ସିଲର ରାଜେଶ ସାହୁ, ବିଜେଡି ନଗର ସଭାପତି ବି.ରାଜିବାବୁ, ନଗର ଉପ-ସଭାପତି ଅଟଳବିହାରୀ ପଟ୍ଟନାୟକ, ସାମ୍ବାଦିକ ସଂଘ ସଭାପତି ପ୍ରଶାନ୍ତ ମହାରଣା, ସାମ୍ବାଦିକ ସରୋଜ ସାମଲ, ବରିଷ୍ଠ ସାମ୍ବାଦିକ ରବିନ୍ଦ୍ରନାଥ ପଣ୍ଡା ପ୍ରମୁଖ ବହୁ ନେତ୍ତୃବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.