ଡାକ୍ତର ଶିଶିର କୁମାର ସାହୁଙ୍କ ସହଧର୍ମୀଣୀଙ୍କ ବିୟୋଗ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ଅଞ୍ଚଳର ଜନ ପ୍ରିୟ ସମାଜସେବୀ ଡାକ୍ତର ଶିଶିର କୁମାର ସାହୁଙ୍କ ଧର୍ମପତ୍ନୀ ଚିତ୍ରରେଖା ସାହୁଙ୍କ ୭୨ ବର୍ଷ ବୟସରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସୋହେଲା ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ ଅମାୟିକ ଧର୍ମପରାୟଣା ମହିଳା ଥିଲେ । ସେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ପ୍ରଧାନଙ୍କ ଜ୍ୟେଷ୍ଠା କନ୍ୟା ଥିଲେ । ଡା ସାହୁଙ୍କ କ୍ଲିନିକ୍‌ରେ ସେ ସବୁବେଳେ ଉପସ୍ଥିତ ରହୁଥିଲେ ତେଣୁ ସେ ଜନସାଧାରଣଙ୍କ ସହ ସୁପରିଚିତ ଥିଲେ । ତାଙ୍କର ପୁଅ ମାନସ, ଗଣେଶ ଏବଂ ଡା ଦେବବ୍ରତ, ପୁତ୍ରବଧୁ ତଥା ନାତି ନାତୁଣୀ ଅଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରଠାରେ ହୋଇଥିବା ପ୍ରକାଶ । ଶ୍ରୀମତୀ ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଅଧ୍ୟାପକ ଟେକଚାନ୍ଦ ଦୁଆନ, ସମାଜସେବୀ ସୁଶାନ୍ତ ମିଶ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଏହା ସହ ସୋହେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ନାଗରିକ କମିଟି, ଏଥେଲେଟିକ ଏସୋସିଏସନ, ଶ୍ରୀ ଶ୍ରୀ ଗୌରୀ ଦେବୀ ଟ୍ରଷ୍ଟ, ପ୍ରଭାତ ଚେରିଟେବୁଲ ଟ୍ରଷ୍ଟ, ଶ୍ରୀ ଶ୍ରୀ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସ, ସୋହେଲା ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ଘର ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.