ଗନ୍ଧମାର୍ଦ୍ଦନ ଆନ୍ଦୋଳନ କର୍ମୀ ବିଷ୍ଣୁ ଭୋଇଙ୍କ ଅକାଳ ବିୟୋଗ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନର କର୍ମୀ ବିଷ୍ଣୁ ଭୋଇଙ୍କ ପ୍ରାୟ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ବର୍ଗତ ଭୋଇ ନିଜ ପୁଅ ନାମରେ ପାଇଥିବା ପ୍ରଧାନ ମନ୍ତ୍ରୀ ଘର ତିଆରି ନିମନ୍ତେ ପୁରୁଣା ଘରର ମାଟି କାନ୍ଥକୁ କୋଡୁ ଥିବାବେଳେ କାନ୍ଥ ଟି ତାଙ୍କୁ ଚାପି ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆମ୍ବୁଲେନ୍ସ ଯୋଗେ ଡାକ୍ତରଖାନା ପହଞ୍ଚିବା ବାଟରେ ମୃତ୍ୟୁ ବରଣ ହୋଇଯାଇଥିବା ଜଣାଯାଇଛି । ସ୍ବର୍ଗତ ଭୋଇ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ବୈଠକରେ ଯୋଗ ଦେବାସହ ତାଙ୍କୁ ପରିଷଦ ଦ୍ଵାରା ସମ୍ମାନିତ ମଧ୍ୟ କରାଯାଇଥିଲା । ସେ ଜଣେ ଭାଗବତ ପ୍ରେମୀ ଥିଲେ । ତାଙ୍କ ଉଦ୍ୟମ ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ୟମରେ ‘ଶ୍ରୀ ଶ୍ରୀ ଭଗବାନ ଭାଗବତ ଟୁଙ୍ଗୀ’ ନାମରେ ଏକ ଭାଗବତ ଟୁଙ୍ଗୀ କରାଯାଇ ପ୍ରତହ୍ୟ ଭାଗବତ ପୁରାଣ ପାଠ କରାଯାଉଥିଲା । ଆଜି ତାଙ୍କ ଅନ୍ତିମ ସଂସ୍କାର ଅଙ୍ଗ ନଦୀ କୂଳରେ କରାଯାଇଥିଲା । ତାଙ୍କ ପରଲୋକରେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର କାର୍ୟ୍ୟାଳୟ ସମ୍ପାଦକ ଦୁର୍ୟୋଧନ ପୁଟା, ୱ୍ୟାଡମେମ୍ବର ନରସିଂହ ଡନସନା‌ଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦାନ କରିଥିଲେ । ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ପୁର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଧିରେନ୍ ମହାନ୍ତି, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲ୍ଲୀପ ବେହେରାଙ୍କ ସମେତ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.