ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ୍‌ : ବିଜେଡ଼ି ସମର୍ଥିତ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଭୋଟ୍‌ ଦେଲେ ୨୦ କାଉନ୍‌ସିଲର୍

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ଆଜି ସ୍ୱତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ୍‌ ଗ୍ରହଣ ହୋଇଯାଇଛି । ଆଜି ଭୋଟ୍‌ ଗ୍ରହଣ ପ୍ରକିୟା ହୋଇଥିଲା ୨୦ଟି ୱାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ବିଜେଡିର ୧୮ ଜଣ କାଉନ୍‌ସିଲର୍‌ଙ୍କ ସମେତ ଭାଜପା ଓ କଂଗ୍ରେସର ଜଣେ ଲେଖାଏଁ କାଉନ୍‌ସିଲର୍‌ ଉପସ୍ଥିତ ରହିଥିଲେ । ସଂଖ୍ୟା ଗରିଷ୍ଠତା ଥିବା ବିଜେଡି କାଉନ୍‌ସିଲର୍‌ଙ୍କ ସଂଖ୍ୟା ଅଧିକ ରହିଧିବାରୁ ସିଧାସଳଖ ନିର୍ବାଚିତ ହୋଇଥିବା ପୌରାଧ୍ୟକ୍ଷା ବେହେରାଙ୍କ ବିପକ୍ଷରେ ଅନାସ୍ଥା ଭୋଟ୍‌ ପଡ଼ିଥିବା କାଉନ୍‌ସିଲର୍ ମାନେ ପ୍ରକାଶ କରିଛନ୍ତି । ବିଜେଡିର ପୌରାଧ୍ୟକ୍ଷା ଥିବା ସଂଯୁକ୍ତା ବେହେରାଙ୍କ ବିରୋଧରେ ୨୦ ଜଣ କାଉନ୍‌ସିଲର୍‌ ଓ ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଏନେଇ ଗତ ଜୁଲାଇ ୧୨ ତାରିଖ ସ୍ୱତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ୍‌ ଗ୍ରହଣ ପାଇଁ ଦିନ ଧ୍ରା୍ୟ ହୋଇଥିଲା । ହେଲେ ପୌରାଧ୍ୟକ୍ଷା ବେହେରା ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ତାହା ଗତ ଜୁଲାଇ ୩୧ ତାରିଖ ଯାଏ ସ୍ଥଗିତ ହୋଇଥିଲା । ପୁଣିଥରେ ପୌରାଧ୍ୟକ୍ଷା ବେହେରା ହାଇକୋର୍ଟରେ ଆବେଦନ କରିବାରୁ ଏହା ଖାରଜ ହୋଇଥିଲା । ଏହାପରେ ଜିଲ୍ଲାପାଳ ଅଗଷ୍ଟ ୧୨ରେ ସ୍ୱତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ୍‌ ପାଇଁ ସମୟ ଧାର୍ଯ୍ୟ କରିଥିଲେ । ସରକାରୀ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନଥିଲେ ମଧ୍ୟ ୨୦ ଜଣ କାଉନ୍‌ସିଲର୍‌ ପୌରାଧ୍ୟକ୍ଷା ବିରୋଧରେ ଭୋଟ୍‌ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିଜେଡିର ପୌରାଧ୍ୟକ୍ଷାଙ୍କୁ ନିଜ ଦଳର ବିଜେଡି କାଉନ୍‌ସିଲର୍‌ ତିବ୍ର ବିରୋଧ କରି ଅନାସ୍ଥା ପ୍ରସ୍ତାବ ଆଣି ଗାଦିଚ୍ୟୁତ କରିବା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.