ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଡୁଆ ଯାତାୟତ ବ୍ୟବସ୍ଥା : ରାସ୍ତା ଉପରେ ଅଭିଭାବକ ଓ ପିଲାଙ୍କ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ବେରବୋଇସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯନ୍ତ୍ରଣା ଦେଉଛି ଯାତାୟତ ବ୍ୟବସ୍ଥା । ବିଗତ ୩ବର୍ଷ ପୂର୍ବେ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ଆବାସଟି ନିମ୍ନମାନର ହୋଇଥିବାବେଳେ ଏଠାରେ ପିଲାଙ୍କ ରହିବା ବିପଦପୂର୍ଣ୍ଣ ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ତେବେ ବ୍ଲକର ବିଭିନ୍ନ ଅଂଚଳରୁ ଆସୁଥିବା ଛାତ୍ରଛାତ୍ରୀମାନେ ଆଦର୍ଶ ବିଦ୍ୟାଳୟକୁ ଯାତାୟତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ମୁଖ୍ୟମନ୍ତ୍ରୀ ବସ ଉପରେ ନିର୍ଭର କରୁଛନ୍ତି । ରେଙ୍ଗଳ, ଘୋରଡିଆ, କୁଆପଦା, ବାରବାଟି, ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ, ଜଗଦଲପୁର, ହାଟବଜାର, ବେରବୋଇ ଆଦର୍ଶ ବିଦ୍ୟାଳୟ ଦେଇ ମଣିଜିପୁର, ବୋଳକଣା ଯାଉଥିବା ବସରେ ଛାତ୍ରଛାତ୍ରୀମାନେ ସକାଳୁ ବିଦ୍ୟାଳୟକୁ ଆସନ୍ତି । ସେହିପରି ଅପରାହ୍ନ ୪.୨୦ରେ ଫେରୁଥିବା ଏହି ବସ ଯୋଗେ ବିଦ୍ୟାଳୟରୁ ପିଲାମାନେ ନିଜ ଘରକୁ ଫେରୁଥିବାବେଳେ ଗତ କିଛିଦିନ ହେବ ବସର ଫେରିବା ସମୟରେ ପରିବର୍ତ୍ତନ କରାଯାଇ ସନ୍ଧ୍ୟା ୬ଟା ହୋଇଛି । ଯାହା ଫଳରେ ପିଲାମାନେ ସନ୍ଧ୍ୟାରେ ବିଦ୍ୟାଳୟରୁ ଫେରୁଥିବାବେଳେ ଘରେ ପହଂଚିବାରେ ବିଳମ୍ବ ହେଉଥିବାରୁ ପାଠପଢାରେ ବ୍ୟାହାତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପିଲାଙ୍କର ଦେଖାଶୁଣା କରିବେ ଓ ୫ଟା ପରଠାରୁ ଅଭିଭାବକମାନେ ନିଜ ପିଲାଙ୍କର ତଦାରଖ କରିବେ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଏନେଇ ମଙ୍ଗଳବାର ଛାତ୍ରଛାତ୍ରୀମାନଙ୍କ ସହିତ ଅଭିଭାବକ ପ୍ରକାଶ କୁମାର ସାହୁ, ତପନ କୁମାର ସାମନ୍ତରାୟ, ମମତା ସାହୁ, ପ୍ରଦୀପ ବିଶ୍ୱାଳ, ସନ୍ତୋଷ ପାଟ୍ଟଶାଣୀ, ବିଭୂତି ଭୂଷଣ ପ୍ରଧାନ, ବେଣୁଧର ମଙ୍ଗରାଜ, ସାଗରିକା ଧାଉଡିଆ ପ୍ରମୁଖ ବିଦ୍ୟାଳୟ ନିକଟ ରାସ୍ତାରେ ଏକତ୍ର ହୋଇ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ବସ ଚଳାଚଳ ସମୟରେ ପରିବର୍ତ୍ତନ କରି ପୂର୍ବପରି ୪.୨୦ରେ ବସ ଚଲାଇବାକୁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ଜିଲ୍ଲା ଓଏସଆର୍‌ଟିସିକୁ ଅବଗତ କରାଯାଇଥିବାବେଳେ ପୂର୍ବ ନିର୍ଦ୍ଧାରିତ ସମୟରେ ବସ ଚଳାଚଳ କରାଯିବ ବୋଲି ବିଭାଗ ସୂଚନା ଦେଇଥିବା ଅଭିଭାବକ ମହାସଂଘ ସଭାପତି ଅଶୋକ ପ୍ରଧାନ ସୂଚନା ଦେଇଛନ୍ତି । ତୁରନ୍ତ ବସ ଚଳାଚଳ ସମୟରେ ପରିବର୍ତ୍ତନ କରାନଗଲେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଅଭିଭାବକ ସଂଘ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.