୧୮ ତାରିଖରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ : ଘେରାଉ ହେବ ସିସିଏଫ(କେଏଲ) କାର୍ଯ୍ୟାଳୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆସନ୍ତା ୧୮ ତାରିଖ ଦିନ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ସିସିଏଫ(କେଏଲ) କାର୍ଯ୍ୟାଳୟ ଘେରାଉ କରିବା ସଂଗେ ସଂଗେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ବଲାଙ୍ଗିର ସାଂବାଦିକ ଭବନ ଠାରେ ଆୟୋଜିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ଉପ ସଭାପତି କିଶୋର କୁମାର ପରିଛା ଓ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି । ୨୦ ଦଫା ଦାବୀ ନେଇ ଏହି ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ ବୋଲି ସେମାନେ କହିଛନ୍ତି । ଓଡିଶା କେନ୍ଦୁପତ୍ର ସିଜିନାଲ କର୍ମଚାରୀ ଓ ତୋଳାଳୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ସମୟରେ ଦାବୀ ଉପସ୍ଥାପନ କରାଯାଉଥିଲେ ମଧ୍ୟ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହି କାର୍ଯ୍ୟକ୍ରମରେ ୮ଟି ଡିଭିଜନର କର୍ମଚାରୀମାନେ ସାମିଲ ହେବେ । ସଂଘ ତରଫରୁ ଉପସ୍ଥାପିତ ହେବାକୁ ଥିବା ଦାବୀ ଗୁଡିକ ହେଲା- ଚପରାଶିମାନଙ୍କର ୩ ମାସ କାର୍ଯ୍ୟକାଳ, ମୁନ୍‌ସୀମାନଙ୍କ ୪ ମାସ କାର୍ଯ୍ୟକାଳ, ସିଜିନ ଚେକରମାନଙ୍କ ଗୋଛା କଟେଇରୁ ଗୋଦାମରେ ପତ୍ର ଭର୍ତ୍ତି ପର୍ଯ୍ୟନ୍ତ, ବାଇଣ୍ଡିଙ୍ଗ ଚେକରମାନଙ୍କ ୯ ମାସ କାର୍ଯ୍ୟକାଳ ବୃଦ୍ଧି, ସର୍କଳ ଚେକରମାନଙ୍କର ୧୧ ମାସ କାର୍ଯ୍ୟକାଳ, ହେଡ ଚେକରମାନଙ୍କର ମୋଟର ସାଇକଲ ଏବଂ ତେଲ, ବନ୍ଧେଇ କୁଲିମାନଙ୍କ ବିଡା ପ୍ରତି ୧୦୦ ଟଙ୍କା ବୃଦ୍ଧି, କେନ୍ଦୁପତ୍ରରୁ ଜିଏସଟି ଉଚ୍ଛେଦ, ୱାଚରମାନଙ୍କ ଗ୍ରେଡେସନ ଅନୁଯାୟୀ ଦରମା, ଓଡିଶା ବନ ଉନ୍ନୟନ ନିଗମ ୧୦ ପ୍ରତିଶତ ଲାଭରୁ ୫ ପ୍ରତିଶତ ହ୍ରାସ କରିବା, ସାମାଜିକ ନିରାପତ୍ତା ଯୋଜନାରେ ଯେଉଁ ଅନିୟମିତତା ତାକୁ ବନ୍ଦ କରିବା, ତୋଳାଳୀ କାର୍ଡ ସଙ୍ଖ୍ୟା ବୃଦ୍ଧି, ଉଚ୍ଛେଦ ହୋଇଥିବା ଫଡି ଘର ପୁନଃ ସ୍ଥାପନ ଓ ପ୍ରତି ସେକସନରେ ସର୍କଲ ନିଯୁକ୍ତି । ସିସିଏଫଙ୍କ ସ୍ତରରେ ପୂରଣ ହେଇ ପାରୁଥିବା ଦାବୀ ଗୁଡିକ ତୁରନ୍ତ ପୂରଣ କରିବା ପାଇଁ ସଂଘ ଦାବୀ କରିବ । ଯଦି ସିସିଏଫ ରାଜି ନହେବେ, ତାହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ଦିଆଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସମ୍ପାଦକ କୋକିଳ ସାହୁ, ଚିତ୍ତରଂଜନ ବେହେରା, କୃଷ୍ଣ ରାଜପୁତ, ଚିତ୍ରସେନ ବଗର୍ତ୍ତି ଓ ନାରାୟଣ ଉଦୁରକୁଲିଆ ପ୍ରମୁଖ ସାଂବାଦିକ ସମ୍ମିଳନୀରେ ଉପସ୍ଥତ ଥିଲେ ।

Leave A Reply

Your email address will not be published.