ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକମାନଙ୍କ ଚତୁର୍ଥ ଦିନରେ କଳାବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ଆହ୍ୱାନକ୍ରମେ ଚତୁର୍ଥ ଦିବସରେ ମୁରିବାହାଲ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା କଳାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏ ନେଇ ଜିଲ୍ଲାପାଳଙ୍କୁ ୧୩ ଦଫା ସମ୍ବନ୍ଧୀୟ ଦାବିପତ୍ର ପ୍ରଦାନ ସହ ବିଧାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀମାନେ । ଦୀର୍ଘ ଦଶନ୍ଧିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାବ୍ୟାଜ ପିନ୍ଧି ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନକୁ ଓହ୍ଲେଇଛି ସଂଘ । ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି, ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ, ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ ଶିକ୍ଷକ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ ପେ ପ୍ରଦାନ କରିବା, ପ୍ରତ୍ୟେକ ବିଦ୍ୟାଳୟରେ ବିଜ୍ଞାନ, ବାଣିଜ୍ୟ ଭଳି କଳା ବିଭାଗ ଖୋଲିବା ସହ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା, ଅଧ୍ୟକ୍ଷ ମାନଙ୍କ ଗ୍ରେଡ଼ ପେ ସମସ୍ୟାର ସମାଧାନ କରିବା, ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା, କ୍ଲର୍କ କର୍ମଚାରୀଙ୍କ ଚାକିରିରେ ନିୟମିତ କରିବା, ୫ବର୍ଷ ଉପ-ଅଧ୍ୟକ୍ଷ ଭାବେ କାର୍ଯ୍ୟ କଲା ପରେ ଅଧ୍ୟକ୍ଷ ପଦକୁ ପଦୋନ୍ନତି, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବାରେ ମିଶାଇବା, ପୂର୍ବରୁ ଓଏଭିରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ କରିବା, ପୂର୍ବବତ ରାଜ୍ୟସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା, ପିଏମ୍ ଶ୍ରୀ ସ୍କୁଲରେ ଓଏଭିକୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷାର ଗୁଣବତ୍ତା ଓ କର୍ମଚାରୀଙ୍କ ନ୍ୟାୟ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଯଦି ସମସ୍ୟାର ସମାଧାନ ନ ହୁଏ ତାହେଲେ ଆସନ୍ତା ଡିସେମ୍ବର ୮ତାରିଖରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସଭାପତି ରିପୁଦମନ ମିଶ୍ର ଓ ରାଜ୍ୟ ସଂପାଦକ ସୁଭାଶିଷ ଦାସ ଚେତାବନୀ ଦେଇଛନ୍ତି । ସୂଚନା ଥାଉ କି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସିବିଏସ୍ଇ ଅନୁବନ୍ଧିତ ଇଂରାଜୀ ମାଧ୍ୟମରେ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ । ଯଦ୍ୱାରା ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ଆସୁଛନ୍ତି କିନ୍ତୁ ବିଡ଼ମ୍ବନାର ବିଷୟ ଏବେ ଏହି ଓଏଭିର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ଓଏଭି ଚାକିରିରେ ଯୋଗଦେଇ ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କରିଥିବା ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପରିବାରବର୍ଗଙ୍କୁ ପ୍ରାପ୍ୟ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ କରାଯାଇଛି । ଏ ସମ୍ପର୍କରେ ବୁଦ୍ଧିଜୀବୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ବରିଷ୍ଠ ଶିକ୍ଷକ ପିତାମ୍ବର ବେଶ୍ରା, ପ୍ରଭାସ ରଞ୍ଜନ ମେହେର, ଆଲୋକ କୁମାର ଦାସ, ରିଙ୍କି ହରିପାଲ, ସୁନୀଲ କୁମାର ନାୟକ, ହିମାଂଶୁ ଭୋଇ, ରାଜୀବ କୁମାର ପୁଟେଲ, ରୋଶନ କୁମାର ମିଶ୍ର, ସ୍ୱରୂପ କୁମାର ଠାକୁର, ବିଘ୍ନରାଜ ବାରିକ, ଅଜିତ ମହାକୁର, ଶଙ୍କର ରାଉତ, ଅରବିନ୍ଦ ବନଛୋର, ଅସୀମ ପଟେଲ, ସୁବ୍ରତ କୁମାର ବଗର୍ତି, ଆକାଶ କୁମାର ହରିପାଲ ଓ ସୁନନ୍ଦ ପଧାନଙ୍କ ସହ କର୍ମଚାରୀ କଳାବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Leave A Reply

Your email address will not be published.