ସହରର ବିଭିନ୍ନ ସମସ୍ୟା ପାଇଁ ରାଉରକେଲା ବିକାଶ ମଞ୍ଚର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଉରକେଲା ବିକାଶ ମଞ୍ଚର ଏକ ସାଧାରଣ ବୈଠକ ଆମ୍ବାଗାନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱ ସମାଜସେବୀ ସଂଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଉରକେଲାର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ସମସ୍ୟା ଗୁଡିକ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଆର୍ଥିକ, ସାମାଜିକ ଉନ୍ନତିରେ ବାଧକ ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାର ଅର୍ଥନୈତିକ ରାଜଧାନୀ ରାଉରକେଲା ସହର ୧୯୫୪ ମସିହାରୁ ଇସ୍ପାତ କାରଖାନା ସହ ଆରମ୍ଭ ହୋଇଥିଲେ ହେଁ କୌଣସି ଆଖିଦୃଶିଆ ଅଭିବୃଦ୍ଧି ଘଟିନାହିଁ ବିକାଶ ମଞ୍ଚ ସହ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର ଦାବି ଫଳରେ ୨୦୨୩ ମସିହାରେ ହେବାକୁ ଥିବା ହକି ବିଶ୍ୱକପ ପୂର୍ବରୁ ୧୯୬୦ ମସିହାରୁ ଚାଲିଆସୁଥିବା ଏଆରଷ୍ଟ୍ରିପକୁ ଉନ୍ନୀତ କରାଯାଇ ୨ସି ଲାଇସେନ୍ସ ସହ ୭୨ ସିଟର ବିମାନ ଉଡାଣ ପାଇଁ ଏଲାଏନ୍ସ ଏଆରଲାଇନ୍ସକୁ ଅନୁମତି ପ୍ରଦାନ କରାଗଲା । କିନ୍ତୁ ଦୁଃଖର କଥା ୨୦୨୩ ମସିହା ଜାନୁଆରୀ ମାସ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିମାନସେବା ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି, ଖରାପ ପାଗ, ଆଇଏଲଏସ ନଥିବାର ଓ ଅନ୍ୟାନ୍ୟ ଆଳ ଦେଖାଇ ୧୦୦ କୋଡିଏ ଥରରୁ ଅଧକ ଦିନ ରାଉରକେଲା – ଭୁବନେଶ୍ୱର – କଲିକତା ବିମାନ ସେବା ବାତିଲ ହୋଇ ଥିବାରୁ ବିମାନ ଯାତ୍ରୀଙ୍କୁ ଅସୁବିଧାରେ ପକାଇବା ସହ ସେମାନଙ୍କ ମନରେ ଏକ ନୈରାଶ୍ୟଭାବ ଜାଗ୍ରତ କରାଇଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ସ୍ତ୍ରୀ ଝିଙ୍କିଆ ଓରାମଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଆସି ଏଠାରେ ଅବତରଣ କରିନପାରି ଫେରିଯିବା ସହର ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିକଟରେ କୋରାପୁଟ ଜିଲ୍ଲାର ଜୟପୁରକୁ ୪ସି ଲାଇସେନ୍ସ ଯୁକ୍ତ ନିୟମିତ ବିମାନ ଉଡାଣକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଉରକେଲା ବିମାନ ବନ୍ଦରର ବିମାନ ସେବାକୁ ନିୟମିତ କରିବା ପାଇଁ ୪ସି ଲାଇସେନ୍ସ ପ୍ରଦାନ କରିବା, ବିମାନ ବନ୍ଦରକୁ ବେସାମାରିକ ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର କରାଯିବା, ଆଇଏଲଏସର ସ୍ଥାପନା କରାଯିବା ସହ ଏଠାରୁ ବାଙ୍ଗାଲୋର, ଦିଲ୍ଲୀ ଆଦି ନିହାତି ଯୁଦ୍ଧକାଳୀନ ଭିତ୍ତିରେ ଉଡାଣ ହେବା ଦରକାର, ଯାହାଫଳରେ ରାଉରକେଲା ଓ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କଳକାରଖାନାର ଉନ୍ନତି ହେବା ସହ ଆର୍ଥିକ ଅଭିବୃଦ୍ଧି ହୁଅନ୍ତା ବୋଲି ମତପ୍ରକାଶ ପାଇଥିଲା । ସେହିଭଳି ଚକ୍ରଧରପୁର ରେଳବାଇ ଡିଭିଜନରୁ ଆଦାୟ ହେଉଥିବା ରେଭିନ୍ୟୁର ସିଂହଭାଗ ହିଁ ଓଡ଼ିଶାର ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ଯାଇଥାଏ । ଡିଭିଜନର ସତୁରିଭାଗ ଷ୍ଟେସନ ଓଡିଶାରେ ଅବସ୍ଥିତ । ରାଉରକେଲାର ବନ୍ଧମୁଣ୍ଡା ଠାରେ ପର୍ଯ୍ୟାପ୍ତ ୫ ହଜାର ଏକର ଜମି ସହ ୨୦ ଗୋଟି ବିଭିନ୍ନ ମେକାନିକାଲ ସପ, ୩ ହଜାର କ୍ଵାଟର ଆଦି ଥିବାରୁ ଏଠାରେ ଏକ ନୂତନ ରେଳବାଇ ଡିଭିଜନ କରାଯାଇ ଏହାକୁ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ରଖାଗଲେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ସହ ରେଳବାଇର ଆର୍ଥିକ ଅଭିବୃଦ୍ଧି, ଗମନାଗମନର ସୁବିଧା ସହ ସାଧାରଣ ଜନତା ବହୁଳ ଭାବରେ ଉପକୃତ ହୁଅନ୍ତେ । ନିକଟରେ ରାୟଗଡାକୁ ରେଳବାଇ ଡିଭିଜନ କରିବା ପାଇଁ ୭୦ କୋଟିର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୦୦୩ ମସିହାରେ ଇଷ୍ଟକୋଷ୍ଟ ଜୋନ ଆରମ୍ଭ ଦିନ ହିଁ ରାଉରକେଲା ଠାରେ ଏକ ରେଳବାଇ ଡିଭିଜନ ପାଇଁ ତତ୍କାଳୀନ ରେଳମନ୍ତ୍ରୀ ଘୋଷଣା କରିଥିଲେ, କିନ୍ତୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ । ସେହିଭଳି ରାଉରକେଲା ସରକାରୀ ମହା ବିଦ୍ୟାଳୟରେ ୨୩ ଟି ବିଭାଗରେ ପିଜି କୋର୍ସ ଓ ପର୍ଯ୍ୟାପ୍ତ ପରିମାଣର ଭିତ୍ତିଭୂମି ଥିବାରୁ ଏହାକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କଲେ ଏହା ଅଧୀନରେ ୧୪୩ ଟି କଲେଜ ଉପକୃତ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଥିଲା । ଏହା ସହ ତାଳଚେର ବିମଳାଗଡ ରେଳପଥ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଜିଲ୍ଲା ଆଦିବାସୀ ବହୁଳ ହୋଇଥିଲେ ହେଁ ଏଠାରେ ସେମାନଙ୍କ ପାଇଁ ଆଖିଦୃଶିଆ କାର୍ଯ୍ୟକ୍ରମ ନହେବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଶେଷରେ ମଞ୍ଚର ଆବାହକତ୍ୱରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ, ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା, ବିଧାୟକ ଓ ସାଂସଦମାନଙ୍କୁ ନେଇ ଏସମ୍ପର୍କରେ ଏକ ସ୍ୱତନ୍ତ୍ର ବୈଠକ ଓ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମିଳିତ ବିରାଟ ଗଣ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ଉପଦେଷ୍ଟା ଇଂ ଅଭୟ କୁମାର ଦାସ, ପଶୁପତିନାଥ ଚାଟାର୍ଜୀ, ଅମୂଲ୍ୟ ଚରଣ ବରାଳ, କୁଞ୍ଜବିହାରୀ ରାଉତ, ପିତାମ୍ବର ଲେଙ୍କା, ପ୍ରଭାତ ମହାନ୍ତି, ରବିନ୍ଦ୍ରନାଥ ପାଣ୍ଡବ, ହରିହର ବେହେରା, କାଶୀନାଥ ନନ୍ଦୀ, ସୁପ୍ରତିକ ମିଶ୍ର, ତ୍ରିଲୋଚନ ପରିଡ଼ା, ଏସ.ରଞ୍ଜିତ ମହାନନ୍ଦ, ମୃତ୍ୟୁଞ୍ଜୟ ଗୁରୁ, ସର୍ବେଶ୍ଵର ଦାସ, ଅନ୍ତର୍ଯ୍ୟାମୀ ଦାସ ପ୍ରମୁଖ ଉପସ୍ଥିତ ରହି ମତ ରଖିଥିଲେ ।

Leave A Reply

Your email address will not be published.