ଦବଦବା ଦେଖାଇଲେ ଗଞ୍ଜାମ ଜିଲ୍ଲାର ବିଜେଡ଼ି ନେତ୍ତୃବର୍ଗ

  • ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି ଆଇନ ଶୃଙ୍ଖଳା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ବୋଲି ବିଜେଡ଼ିର ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଉ ଦବଦବା ଦେଖାଇଲେ ବିରୋଧୀ ଗଞ୍ଜାମ ଜିଲ୍ଲାର ବିଜେଡ଼ି ନେତ୍ତୃବର୍ଗ । ପ୍ରଥମେ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ଘେରିଲେ, ବିରୋଧୀ ନୂତନ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ପୁଣି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମିଳନୀ ଗୃହରେ ଅପେକ୍ଷା କରିବାକୁ ଅନୁମତି ମିଳିଲା । ପ୍ରାୟ ୪୫ମିନିଟ ପର୍ଯ୍ୟନ୍ତ ଅପେକ୍ଷା ରତରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସ୍ୱାଧୀନ ଭାବେ ନିଜ ନିଜର ଆସନ ଅଳଙ୍କୃତ କରି ବାହା ବାହା ମାରି ନୂତନ ସରକାରଙ୍କ ବିରୋଧରେ ଆଲୋଚନା ଆଳାପ କରିଥିବା ଦେଖାଯାଇଥିଲା । ନିଜ ଦଳର ସାଙ୍ଗଠନିକ ବିଷୟରେ ମଧ୍ୟ ସମ୍ମିଳନୀ କକ୍ଷରେ କଥାବାର୍ତ୍ତା ହୋଇ ଭଲ ଆଳାପ କରିବା ଖୁସି ମନାଇଥିଲେ । ପରେ ଜିଲ୍ଲାପାଳ ମହାଶୟଙ୍କ ଡାକରା ଆସିବା ପରେ ପ୍ରକୋଷ୍ଠକୁ ଯାଇ ଜିଲ୍ଲାର ଅବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶଦ ଭାବେ ଜିଲ୍ଲାପାଳ ୱି. କୀର୍ତ୍ତି ଭାଷନଙ୍କ ସହ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ସେମାନେ କହିଛନ୍ତି, ଯେ’ ପ୍ରତିଦିନ ଘଟୁଥିବା ମର୍ଡର, ନାବାଳିକାଙ୍କୁ ଦୁଷ୍କର୍ମ, ମହିଳାଙ୍କୁ ଅସଦାଚରଣ, ବଳାତ୍କାର, ହତ୍ୟା, ଚୋରୀ, ଡକାୟତି ଆଦି ବଢ଼ି ଚାଲିଥିବା ବେଳେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ଦୃଢ଼ତାର ସହ କହିଛନ୍ତି । ନାରୀ ନିର୍ଯ୍ୟାତନା, ହତ୍ୟା , ହିଂସାକୁ ନେଇ ବିରୋଧୀ ଦଳର ନେତାମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରେ ଶନିବାର ଏକ ସ୍ମାରକପତ୍ର ପ୍ରଦାନ ସହ ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶନିବାର ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାଷନ୍ ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର୍ ପାତ୍ରଙ୍କୁ ଭେଟି ଆଲୋଚନା କରି ସାମୁହିକ ଭାବେ ଅଭିଯୋଗ କରିଛନ୍ତି । ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ଗଞ୍ଜାମ ଜିଲ୍ଲାର ପୂର୍ବତନ ସମସ୍ତ ୧୧ ଜଣ ବିଧାୟକ ଓ ଦୁଇ ଜଣ ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ପ୍ରାକ୍ତନ ରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ମିଳିତ ହୋଇ ଗଞ୍ଜାମ ଜିଲ୍ଲାପାଳ ଏବଂ ଗଞ୍ଜାମ ଏସପିଙ୍କୁ ଭେଟି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବ୍ରହ୍ମପୁର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ଧରାକୋଟ ରାଜା ସହେବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ପୂର୍ବତନ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୁବ ବିଜେଡ଼ି ନେତା ପ୍ରଶାନ୍ତ ପଣ୍ଡାଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ଓ ଅନ୍ୟାନ୍ୟ ବିଜେଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ବଦଳରେ ସମସ୍ତ ପ୍ରକଳ୍ପ ଗୁଡ଼ିକ ଅଧାପନ୍ତାରିଆ ହୋଇ ପଡ଼ିରହିଛି । ଜିଲ୍ଲାରେ ସମସ୍ତ ସରକାରୀ ଅନୁଦାନ ବାଟମାରଣା ହୋଇ ଚାଲିଛି । ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇପଡ଼ିଛି । ଏ ଦିଗରେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହାର ତୁରନ୍ତ ସମାଧାନ କରି ଆଶୁ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ ବିଜେଡ଼ି ପକ୍ଷରୁ ପ୍ରଦାନ କରାଯାଇଛି । ସର୍ବୋପରି ତୁରନ୍ତ ଏହି ଦିଗରେ ପୋଲିସ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦାବି ନେଇ ଜିଲ୍ଲା ବିଜେଡ଼ି ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଦାବିପତ୍ର ଛତ୍ରପୁରଠାରେ ଗଞ୍ଜାମ ଏସ୍‌ପି ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.