ୱେବିନାର ମାଧ୍ୟମରେ ଆନ୍ତଃ ବ୍ଲକସ୍ତରୀୟ ବିଜ୍ଞାନ ଭିତ୍ତିକ ଆଲୋଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମ୍ପ୍ରତିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯୁଗ, ତେଣୁ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ଭିତ୍ତିକ କାର୍ୟ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ନେଇଛନ୍ତି, ଅନେକଗୁଡ଼ିଏ ଯୁଗାନ୍ତକାରୀ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ସି.ଆର୍.ସି.ସି. ତଥା ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କିତ ଏକ ଆଲୋଚନା ଚକ୍ର ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗଞ୍ଜାମ ଏବଂ ଖଲିକୋଟ ବ୍ଲକ୍‌ର ଦାୟିତ୍ୱଧୀନ ଗୋଷ୍ଠୀଶିକ୍ଷାଧିକାରୀ ଅବିନାଶ ଶତପଥିଙ୍କ ଉଦ୍ୟମରେ ଏ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ତିନି ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଗୁଗୁଲ୍ ମିଟ୍‌ ମାଧ୍ୟମରେ ଅନୁଷ୍ଠିତ ଏହି ୱେବିନାର୍ ମାଧ୍ୟମ ଆଲୋଚନା ଚକ୍ରରେ ଡ଼ଃ. ବିଜୟା ପାତ୍ର, ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ, ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର, ମୁଖ୍ୟ ଅତିଥି ରୂପେ ଯୋଗଦାନ କରି, ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ତତ୍ ସହିତ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ଅମୂଲ୍ୟ କୁମାର ପଧାନ, ଆମନ୍ତ୍ରିତ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟରେ ବିଜ୍ଞାନ ଭିତ୍ତିକ ପାୱାର୍ ପଏଣ୍ଟ୍ ପ୍ରସ୍ତୁତି ଓ ବିଜ୍ଞାନ କର୍ମଶାଳା ଆୟୋଜନ କରିବା ଉପରେ ନିଜର ସୁଚିନ୍ତିତ ମତାମତ ରଖିବା ସହ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ଏଥିରେ ସମ୍ମିଳିତ ହେବା ପାଇଁ ଆହ୍ଵାନ ଜଣାଇଥିଲେ । ଏହି ୱେବିନାର୍‌ରେ ସମ୍ବଳ ଶିକ୍ଷକ ରୂପେ ଯୋଗଦାନ କରିଥିଲେ, ଅଭିଜ୍ଞତା ସମ୍ପନ୍ନ ପ୍ରାକ୍ତନ ଗଞ୍ଜାମଜିଲ୍ଲା ବିଜ୍ଞାନ ନିରୀକ୍ଷକ, ପନ୍ନଗ ଭୂଷଣ ମାଝୀ ଓ ଗୋକୁଳକୃଷ୍ଣ ପଣ୍ଡା, ମାଝୀ ପାୱାର୍ ପଏଣ୍ଟ୍ ମାଧ୍ୟମରେ ବାର୍ଷିକ ବିଜ୍ଞାନ ଭିତ୍ତିକ କାର୍ୟ୍ୟକ୍ରମର ସୂଚୀ ପ୍ରଦାନ କରିବା ସହ ବିଜ୍ଞାନ କୁଇଜ୍, ଗଣିତ କୁଇଜ୍, ବିଜ୍ଞାନ ସେମିନାର୍, ସାଇନ୍ସ୍ ଡ୍ରାମା, ବିଜ୍ଞାନ ମେଳା , ଇନ୍‌ସ୍‌ସ୍ପାୟାର ଆଓ୍‌ୱାର୍ଡ ତଥା ଜାତୀୟ ବିଜ୍ଞାନ ଦିବସ, ଜାତୀୟ ଗଣିତ ଦିବସ ଆଦି କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଗ ଦେବା ପୂର୍ବରୁ କିପରି ପ୍ରସ୍ତୁତ ହେବେ, ତାହା ବିଶଦ ଭାବେ ଆଲୋଚନା କରିଥିଲେ। ଏତଦ୍ ଭିନ୍ନ ସାଇଂସ୍‌ ଓଲମ୍‌ପାୟାଡ୍‌, ମେତ୍‌ମେଟିକ୍‌ ଓଲମ୍‌ପାୟାଡ୍‌ ପରୀକ୍ଷା ସମ୍ପର୍କରେ ନିଜର ମତ ରଖିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ବିଜ୍ଞାନ ପତ୍ରିକାର ଆରମ୍ଭ ଓ ବିଜ୍ଞାନ କ୍ଲବ୍ ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ । ଏହା ପରେ ଗୋକୁଳକୃଷ୍ଣ ପଣ୍ଡା ମହୋଦୟ, “ପିଲାଙ୍କର ଜାତୀୟ ବିଜ୍ଞାନ କଂଗ୍ରେସ୍” ବିଷୟରେ ନିଜ ଅଭିଜ୍ଞତା ବାଣ୍ଟିବା ସହ, ଏଥି ନିମନ୍ତେ କିପରି ପ୍ରାକ୍ ପ୍ରସ୍‌ସ୍ତୁତି କରିବେ, କିପରି ପିଲାଙ୍କର ମନରେ ବୈଜ୍ଞାନିକ ମନୋବୃତ୍ତି ଓ ଗବେଷଣାତ୍ମକ ଆଗ୍ରହ ସୃଷ୍ଟି କରାଇହେବ, ଏହି ସଂପର୍କରେ ନିଜର ଗୁରୁତ୍ଵପୂର୍ଣ୍ଣ, ସୁଚିନ୍ତିତ ତଥା ସୃଜନଶୀଳ ମତାମତ ପୋଷଣ କରିଥିଲେ । ଏଥିସହ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରର ବରିଷ୍ଠ ଵିଜ୍ଞାନ ଶିକ୍ଷକ, ଡ଼ଃ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏନ୍‌ଟିଏସ୍‌ ଓ ପିଏମ୍‌ଏସ୍‌ଟି ପରୀକ୍ଷା ସଂପର୍କରେ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ନିଜର ମତ ପ୍ରକାଶ କରିଥିଲେ । ପରିଶେଷରେ ଗଞ୍ଜାମ ଜିଲ୍ଲାରେ ନବନିଯୁକ୍ତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କୁ ସ୍ବାଗତ ଜଣାଇବା ସହ, ଯୋଗଦାନ କରିଥିବା ଛତ୍ରପୁର, ଗଞ୍ଜାମ ଓ ଖଲ୍ଲିକୋଟ୍ ବ୍ଲକର ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ସି.ଆର୍.ସି.ସି ଏବଂ ସ୍କୁଲ ଓ ଶିକ୍ଷା ବିଭାଗର ସର୍ଵମୋଟ ୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ୍ୟ/ଅଧିକାରୀ ଗଣ ଏହି ଆଲୋଚନା କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମିସ୍‌ କମ୍‌ ପ୍ଲାନିଂଙ୍ଗ୍‌ କୋଓଡିନେଟର, ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଉକ୍ତ ୱେବିନାର୍‌ର ପରିଚାଳକ ଅବିନାଶ ଶତପଥିଙ୍କ ଦ୍ୱାରା ଏହି କାର୍ୟ୍ୟକ୍ରମଟି ସମାହିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!