ଦୀର୍ଘ ଦିନର ଦାବି ହେଲା ପୂରଣ : କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ସର୍କିଟ୍ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ
କଟକ : ଦୀର୍ଘ ଦିନର ଦାବି ହେଲା ପୂରଣ । କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ସର୍କିଟ୍ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ ହୋଇଥିବା ନେଇ ଏକ ବଡ଼ ଖବର ମିଳିଛି । ଭାରତୀୟ ସେନାନୀରେ ଓଡ଼ିଶାରୁ କାର୍ୟ୍ୟ କରିଥିବା ତଥା ଅବସର ନେଇଥିବା ସୈନିକ ଓ ସେମାନଙ୍କ ପରିବାରର ଦୀର୍ଘଦିନର ଦାବି ପୂରଣ ହୋଇଛି । ଇଣ୍ଡିଆନ୍ ଏକ୍ସ ସର୍ଭିସେସ୍ ଲିଗ୍ ଓଡ଼ିଶା ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ଅଦାଲତ କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ସର୍କିଟ୍ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୭ ତାରିଖରୁ ଆର୍ଆରଡିସି କାର୍ୟ୍ୟାଳୟ ପରିସରରେ ଏହି ସର୍କିଟ୍ ବେଞ୍ଚ୍ କାର୍ୟ୍ୟ କରିବ । ଓଡ଼ିଶାରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ ନ ଥିବାରୁ ସେନାରେ ଓଡ଼ିଶାରୁ କାର୍ୟ୍ୟ କରିଥିବା ପୂର୍ବତନ ସୈନିକମାନଙ୍କୁ ବିଭିନ୍ନ ମାମଲା ପାଇଁ କୋଲକାତା କିମ୍ବା ଦିଲ୍ଲୀ ଯିବାକୁ ପଡ଼ୁଥିଲା । ଫଳରେ ପୂର୍ବତନ ସୈନିକ ବା ସେମାନଙ୍କ ପରିବାରକୁ ଏଥିପାଇଁ ଉଭୟ ଶାରୀରିକ, ମାନସିକ ଏବଂ ଆର୍ଥିକ ଭାବେ ନିର୍ୟାତନା ସହିବାକୁ ପଡ଼ୁଥିଲା । ଏନେଇ ଇଣ୍ଡିଆନ୍ ଏକ୍ସ ସର୍ଭିସେସ୍ ଲିଗ୍ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।