ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଞ୍ଚାୟତର ଶିଖରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ହାସଲ କରି ନିଜ ଗ୍ରାମ ଶିଖରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାମକୁ ସାର୍ଥକତାର ସହ ସୁନାମ ଅର୍ଜନ କରିଛନ୍ତି । ଏହି ଯାତ୍ରା ପ୍ରଥମେ କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ, ତାପରେ ଜିଲ୍ଲା ସବୁଥିରେ ପ୍ରଥମ ସ୍ଥାନ ହାସଲକରି ଶେଷରେ ରାଜ୍ୟସ୍ତରରେ ସମଗ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । “ଲୋକକଳା ଓ ସମୃଦ୍ଧ ଓଡ଼ିଶା” ଉପରେ ଆଧାରିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ଶିଶୁମାନଙ୍କ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦୟ ରଶ୍ମୀ ପାତ୍ର ଓ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବିନୋଦିନୀ ବେହେରାଙ୍କ ନୃତ୍ୟ ସଂଯୋଜନା ଅତି ଉଚ୍ଚକୋଟୀର ଓ ହୃଦୟସ୍ପର୍ଶୀ ଥିଲା । ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ନେଇ ଫେରିବା ପରେ ପ୍ରଥମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ, ତତ୍ ପରେ ଶିଖରପଲ୍ଲୀ ଗ୍ରାମବାସୀଙ୍କ ଦ୍ୱାରା ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ଗଗନ ବେହେରାଙ୍କ ଉପସ୍ଥିତିରେ ସମସ୍ତ କୁନି କଳାକାର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।