jayashree

ବିଦ୍ୟାଳୟ ହେଉଛି ସମାଜର ମନ୍ଦିର – ସାରଦା

ରାଉରକେଲା, (ସସ୍ମିତା ପ୍ରଧାନ) : ଫାଇବ ଟି ଅନ୍ତର୍ଗତ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମ ଅବସରରେ ଆଲୋଚ୍ୟ ବିଷୟ “ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ” ସଂପର୍କରେ ଆଲୋଚନା କରି କାର୍ଯ୍ୟକ୍ରମର ଆବାହକ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯୋଗଦେଇ କହିଲେ ଯେ, ବିଦ୍ୟାଳୟ ହେଉଛି ସମାଜର ମନ୍ଦିର । ତେଣୁ ମନ୍ଦିରକୁ ସଠିକ୍‌ ଭାବରେ ପରିଚାଳନା ଓ ଦିଗଦର୍ଶନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ହେବା ଦରକାର ବୋଲି ମତ ରଖିଥିଲେ । ବ୍ରାହ୍ମଣୀ କ୍ଲବଠାରେ ରାଉରକେଲା ନିର୍ବାଚନ ମଣ୍ଡଳୀର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷମାନଙ୍କୁ ନେଇ ଏହି ଆଲୋଚନାଚକ୍ରକୁ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉଦ୍‌ଘାଟନ କରିଥିଲେ । ଏବିଇଓ କିଶୋର ଦାସଙ୍କ ସଂଯୋଜନାରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । କରୋନା ସମୟରେ ଶିକ୍ଷା ବ୍ୟବସ୍ଥା ଅଧୋଗତି ହୋଇଥିବା ବେଳେ ଏହାକୁ ସୁଧାରି ଶିକ୍ଷା ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ବିଦ୍ୟାଳୟ ରୂପାନ୍ତରଣ । ସବୁ ଶିକ୍ଷକମାନେ ହେଡମାଷ୍ଟରଙ୍କ ତଳେ ନୁହେଁ ବରଂ ସାଙ୍ଗରେ ମିଶି କାର୍ଯ୍ୟକଲେ ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ । ଏକାଠି ବସି ଆଲୋଚନା କଲେ ନିଷ୍କର୍ସ ବାହାରେ । ଶିକ୍ଷକମାନେ ବିଦ୍ୟାଳୟର ଆଭ୍ୟନ୍ତରୀଣ କଥା ବୁଝିଲେ ରୂପାନ୍ତରଣ ସହଜ ହେବ । ସଂପ୍ରତି ସରକାର ୬ ସୂତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ପରିଚାଳନା, ଖେଳ, ଫାଇବ ଟି, ଅର୍ବାନ ସ୍କୁଲ କିପରି ଚାଲିବ ଏନେଇ କାର୍ଯ୍ୟ କରୁଛି । ଦିନଥିଲା କଥା ଉଠିଥିଲା ସରକାରୀ ବିଦ୍ୟାଳୟ କିପରି ଘରୋଇ ବିଦ୍ୟାଳୟ ଭଳି ହେବ, ମାତ୍ର ଏବେ ଘରୋଇ ବିଦ୍ୟାଳୟ ଭାବୁଛି ଏବେ କିପରି ଆମେ ସରକାରୀ ବିଦ୍ୟାଳୟ ଭଳି ହେବୁ । ବିଦ୍ୟାଳୟକୁ ଆଦର୍ଶ ରୂପେ ଗଢି ତୋଳିବା ପାଇଁ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସେ ଦିଗଦର୍ଶନ ଦେବା ନିମନ୍ତେ ଆହ୍ବାନ ଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ସୁଷମା ଜେନା, ହିମାଂଶୁ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଶିକ୍ଷାଧିକାରୀ ସାରଙ୍ଗଧର ବେରିହା, ବିଇଓ ପ୍ରଜ୍ଞା ପରମିତା ଜେନା, ସିଡିପିଓ ପ୍ରମୋଦିନୀ ପଟେଲ, ସଂଗୀତା ମହାନ୍ତି, ସାବିତ୍ରୀ ରଣା, ଛବି ମହାନ୍ତି ପ୍ରମୁଖ ମଂଚାସୀନ ଥିବା ବେଳେ ଏବିଇଓ ଶରତ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.