ଡେଲାଙ୍ଗ ବିଦ୍ୟୁତ୍‌ର ଲୁଚକାଳି ଖେଳ : ଉପଭୋକ୍ତା ହନ୍ତସନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବିଦ୍ୟୁତ୍‌ ବିଭାଗ ଅଧିନ ଘୋରଡ଼ିଆ ଫିଡର ଉପରେ ନିର୍ଭରଶୀଳ ଉପଭୋକ୍ତାମାନଙ୍କ ପ୍ରତି ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ବୈମାତୃକ ମନୋଭାବ ସଂପ୍ରତି ଚରମ ସୀମାରେ ପହଂଚିଛି । ଆକାଶ ସାମାନ୍ୟ ମେଘାଛନ୍ନ ହେଲେ ସତେ ଯେପରି କାଳ ମାଡ଼ିବସୁଛି । ଗଛର ପତ୍ର ହଲିବା ମାତ୍ରେ ଛାନିଆଁ ହୋଇ ତୁରନ୍ତ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଦେବା ଯୋଗୁଁ ପାନୀୟ ଜଳ ଯୋଗାଣ କାର୍ୟ୍ୟ ବ୍ୟାହତ ହେବା ସହିତ ଡାକ୍ତରଖାନାରେ ଥିବା ରୋଗୀମାନେ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ସେହିପରି ସାଧାରଣ ଉପଭୋକ୍ତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଦ୍ୟୁତ୍‌ କାଟ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଅଭିଯୋଗ ହେଉଛି । ଆଜି ଡେଲାଙ୍ଗ ବ୍ଲକ୍‌ରେ ବିଦ୍ୟୁତ୍‌ର ଲୁଚକାଳି ଖେଳ ଯୋଗୁଁ ଉପଭୋକ୍ତାମାନେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ୍‌ କାଟ ସଂପର୍କରେ ଉପଭୋକ୍ତାମାନଙ୍କୁ ପ୍ରାକ୍‌ ସୂଚନା ପ୍ରଦାନ କରିବା ପାଇଁ ଆଇନରେ ବ୍ୟବସ୍ଥା ଥିଲେ ହେଁ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ସାମାନ୍ୟତମ ସାଧାରଣ ଜ୍ଞାନ ଥିବା ଭଳି ଜଣାପଡ଼ୁନି । ବୁଧବାର ଡେଲାଙ୍ଗ ଅଞ୍ଚଳରେ ଅଳ୍ପ ସମୟ ବ୍ୟବଧାନରେ ପ୍ରାୟ ୧୫ରୁ ୨୦ ଥର ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବା ଯୋଗୁଁ ଉପଭୋକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସମସ୍ୟା ସଂପର୍କରେ ବିଦ୍ୟୁତ୍‌ ବିଭାଗ କାର୍ୟ୍ୟାଳୟ ସହ ଯୋଗଯୋଗ କରିଥିଲେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଟେଲିଫୋନକୁ ଜାଣିଶୁଣି ଅଚଳ କରିଦିଆଯାଇଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବା ଦିଗରେ ବିଦ୍ୟୁତ୍‌ ବିଭାଗ ଯତ୍ନବାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.