ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିନର କାର୍ଯ୍ୟକ୍ରମ ଅତି ରୋମାଞ୍ଚକର ଥିଲା । ଭଞ୍ଜ ବିହାର ମାଟିରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । ଓଡ଼ିଶା ଆନ୍ତଃ-ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ଚତୁର୍ଥ ଦିବସରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ ଏବଂ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା, ଡ଼ଃ. ମନୋଜ କୁମାର ବେହେରା ଏବଂ ଡ଼ଃ.ସିକତା ଦାଶ, ଡ଼ଃ.ବିଭୁଦତ୍ତ ଆଚାରୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ ।ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀ ମାନେ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଥିଲେ । ଏପରିକି ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀ ଅନୂସୟା ନାଥ ଏବଂ ଡ଼ଃ. ଚନ୍ଦନ ଗନ୍ତାୟତ ସଂଗୀତ ପରିବେଷଣ କରିଥିଲେ । ଗୁରୁ ଗଜେନ୍ଦ୍ର ପଣ୍ଡା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ, ନିମନ୍ତ୍ରିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ତଥା ଉଚ୍ଚଶିକ୍ଷା ବିଭାଗ ଚେୟାରମ୍ୟାନ, ଷ୍ଟାଣ୍ଡିଙ୍ଗ କମିଟୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ଅଂଶଗ୍ରହଣ କରିଥିବା ପ୍ରତିଭାଙ୍କୁ ପୁରସ୍କୃତ କରିଥିଲେ । ଅତିଥିମାନଙ୍କ ଦ୍ଵାରା ପ୍ରତେକ ଦିନ ଭଳି ଶନିବାର ଦିନ ମଧ୍ୟ ପତ୍ରିକା ଉନ୍ମୋଚିତ ହୋଇଥିଲା । ଏହାକୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପ୍ରସ୍ତୁତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ, ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ କୁଳସଚିବ ସଚିଦାନନ୍ଦ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ଓଡିଶାର ୧୭ଟି ବିଶ୍ୱବିଦ୍ୟାଳୟରୁ ୫୦୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିଥିଲେ । ଏହି ମହୋତ୍ସବ ଫେବୃଆରୀ ୨୪ ରେ ଆୟୋଜିତ ଉଦଯାପନୀ ଉତ୍ସବରେ ବିଜେତାମାନଙ୍କୁ ସମ୍ମାନୀତ କରାଯିବ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।
Prev Post