ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ କଲ୍ୟାଣପୁର ଗ୍ରାମ ପଂଚାୟତ ବାଲିହୁଙ୍କା ଗ୍ରାମବାସୀଙ୍କ ଦୁର୍ଦଶା ବର୍ଷା ଋତୁରେ ବର୍ଷା ଜଳ ଓ ଦୟା ନଦୀ ବାମ ପାର୍ଶ୍ଵ ବନ୍ଧରୁ ଝରୁଥିବା ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବାରୁ ବଡ଼ ସମସ୍ୟା ଆଣି ଦେଇଛି । ଗ୍ରାମର ପଶ୍ଚିମ ପାର୍ଶ୍ୱରେ ଦୟା ନଦୀ ବନ୍ଧ ଓ ପୂର୍ବ ପାର୍ଶ୍ୱରେ କଣାସ ମୁଖ୍ୟ ଶାଖା କେନାଲ ବନ୍ଧ ଯୋଗୁ ବର୍ଷା ଓ ନଦୀ ଝର ଜଳ ନିଷ୍କାସିତ ହୋଇପାରୁନାହିଁ । ଫଳରେ ଗ୍ରାମବାସୀଙ୍କ ବାରି, କୂଅ, ନଳକୂଅ, ଶୌଚାଳୟ, ପାଳ ଗଦା, ଜାଳେଣି କାଠ ଗଦା ଆଦି ଜଳମଗ୍ନ ହୋଇ ରହିଛି । ଘର ଚାରିପଟେ ଜଳ ଜମି ରହିବା ଯୋଗୁ ଘର ସନ୍ତସନ୍ତିଆ ରହୁଛି । ମଶା, ମାଛି, ଡାଉଂଶ, ଜୋକ, ସରୀସୃପଙ୍କ ଆତଙ୍କ ବୃଦ୍ଧି ପାଇଛି । ଗ୍ରାମବାସୀଙ୍କ ନିବେଦନ କ୍ରମେ ବୁଧବାର ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଡେଲାଙ୍ଗ ବ୍ଲକ ବିଡ଼ିଓ କ୍ଷତିଶ ବେହେରା, ଡେଲାଙ୍ଗ ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ଜଳ ସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀ ତନୁଜ କିଶୋର ରାଉତ, ଡେଲାଙ୍ଗ ବ୍ଲକ କୃଷି ବୈଷୟିକ ସୂଚନା ଓ ପରାମର୍ଶ କେନ୍ଦ୍ର (ଆତ୍ମା) ସଭାପତି ତଥା ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଲଡୁକିଶୋର ରାୟ ପ୍ରମୁଖ କ୍ଷେତ୍ରୀୟ ଅନୁସନ୍ଧାନ ପୂର୍ବକ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ବିରାଟ ବଡ଼ଜେନା, ବେଣୁଧର ମଙ୍ଗରାଜ, କାହ୍ନୁଚରଣ ଦାଶ, ଭାବଗ୍ରାହୀ ଅରିସଲ, କୈଳାଶ ଚନ୍ଦ୍ର ବଳିୟାରସିଂହ, ଉମାକାନ୍ତ ବରାଳ, ଟୁଲୁ ବୈରୀଗଞ୍ଜନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।