ଗଞ୍ଜାମ ଜିଲ୍ଲାର ପୋଟ୍ଟଲାମପୁର ଓ ମନ୍ଦାର ଗ୍ରାମପଞ୍ଚାୟତ ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ବିବେଚିତ ହୋଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୨ଟି ପଞ୍ଚାୟତକୁ ଜାତୀୟ ପୁରସ୍କାର ମିଳିବାକୁ ଯାଉଛି । ଛତ୍ରପୁର, ପୋଲସରା ବ୍ଲକ ଏହି ଗୌରବ ଆଣିଛି । ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ଛତ୍ରପୁର ୨ଟି ବ୍ଲକର ପୋଟ୍ଟଲାମପୁର ଓ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ କୃତ୍ତିତ୍ୱ ଲାଭ କରିଛନ୍ତି । ସେହିପରି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ଗୌରବ ଅର୍ଜନ କରିଛି । ଏନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଣାଳୟର ଆର୍ଥିକ ପରାମର୍ଶଦାତା ବିଜୟ କୁମାର ବେହେରା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସମଗ୍ର ରାଜ୍ୟର ୫ଟି ପଞ୍ଚାୟତ ଏଥିରେ ପୁରସ୍କୃତ ହେବେ । ସେଥିରୁ ୨ଟି ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି । ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ଛତ୍ରପୁର ବ୍ଲକ୍‌ର ପୋଟ୍ଟଲାମପୁରକୁ ଦେଶର ସୁସ୍ଥ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି । ଏଥିଲାଗି ୯ଟି ପାରାମିଟରକୁ ନେଇ ସର୍ଭେ କରାଯାଇଥିଲା । ସେଥିରେ ପୋଟ୍ଟଲାମପୁର ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ସେହିପରି ୫୩ଟି ପାରାମିଟରକୁ ନେଇ ହୋଇଥିବା ସର୍ଭେରେ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ବର୍ଗରେ ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ତୃତୀୟ ସ୍ଥାନ ଅଧିକାର କରିଛି । ସେହିପରି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ କରାଯିବ ବୋଲି ଆନୁଷ୍ଠାନିକ ଭାବେ ସରକାରୀ ସୂତ୍ରରୁ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଏହି ସଫଳତା ଲାଗି ଗଞ୍ଜାମବାସୀ, ଦୁଇ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ପୁରସ୍କାର ଆଗାମୀ ଦିନରେ କାର୍ଯ୍ୟ କ୍ଷେତ୍ରରେ ଅଧିକ ଉତ୍ସାହିତ କରିବ ଓ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.