oom

ବିଧାୟକଙ୍କ ଦ୍ୱାରା ସେଚନାଳ ପୁନଃରୁଦ୍ଧାର ଭୂମିପୂଜା

jsmm
  • ୬୫୦ ମିଟର ଦୈର୍ଘ୍ୟ କେନାଲ ଶଯ୍ୟା ପାଇଁ ଖର୍ଚ୍ଚ ହେବ ୧ କୋଟି ୩୯ ଲକ୍ଷ ଟଙ୍କା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଜଳ ସମ୍ପଦ ଉପଖଣ୍ଡ ଅଧୀନସ୍ଥ ବେନୁପଡା ମାଇନର କେନାଲର ପୁନଃରୁଦ୍ଧାର କାମକୁ ବିଧାୟକ ଆଶ୍ରିତ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୦ଟାରେ ଭୂପୂଜନ ପୂର୍ବକ ଶୁଭ ଉଦ୍‌ଘାଟନ କରିଛନ୍ତି । କେନାଲ ନିର୍ମାଣ ଆରମ୍ଭରୁ ଶେଷ ମୁଣ୍ଡ ବେନୁପଡା ଗ୍ରାମ ଧାନଜମିକୁ ଆଦୌ ଜଳ ପ୍ରବାହ ସମ୍ଭବ ହୋଇନଥିବା ସମସ୍ୟାର ପ୍ରତିକାର ସ୍ୱରୂପ ଜଗଦଳପୁର ଶନି ମନ୍ଦିର ଠାରୁ ମହତାବ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ୬୫୦ ମିଟର କେନାଲ ଶଯ୍ୟା ଓ ଦୁଇପାର୍ଶ୍ଵ ବନ୍ଧ ସିମେଣ୍ଟ କଂକ୍ରିଟ ଲାଇନିଙ୍ଗ କରାଯିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଟେଣ୍ଡର ମାଧ୍ୟମରେ ଠିକାଦାର ନିୟୋଜନ କରାଯାଇଛି । ତେବେ ବେନୁପଡା କେନାଲର ମୋଟ ଦୈର୍ଘ୍ୟ ୮ କିମି ୬୦୦ ମିଟର ମଧ୍ୟରୁ ମଝିରେ ୬୫୦ ମିଟର କଂକ୍ରିଟ ଲାଇନିଙ୍ଗ ଦ୍ୱାରା ଜଳ ପ୍ରବାହ ସୁନିଶ୍ଚିତ ହେବ ବୋଲି ଯେଉଁ ଆଶ୍ୱାସନା ଦିଆଯାଇଛି, ସେଥିରେ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହି କେନାଲ ଖୋଳା ଆରମ୍ଭ ସମୟରେ ଭୂମିପତ୍ତନ ନିର୍ଦ୍ଧାରଣ ତ୍ରୁଟିପୂର୍ଣ୍ଣ ରହିଥିବାରୁ କେନାଲରେ ଜଳ ପ୍ରବାହ ସମସ୍ୟା ଲାଗି ରହିଛି । ଉଚ୍ଚ ପତ୍ତନରେ ଅବସ୍ଥିତ ବେନୁପଡ଼ା ଧାନଜମିକୁ ନିମ୍ନ ପତ୍ତନରେ ଥିବା କେନାଲରୁ ପାଣି ଉଠିବାରେ ସମସ୍ୟା ରହୁଥିବାରୁ ଦୁଇପାର୍ଶ୍ଵ ବନ୍ଧକୁ ଅଧିକ ଉଚ୍ଚ କରାଯାଇ ଜଳ ଧାରଣ କ୍ଷମତା ବୃଦ୍ଧି କରାଗଲେ ଜଳ ପ୍ରବାହ ସୁନିଶ୍ଚିତ ହୋଇପାରିବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଏହି ପୁନଃରୁଦ୍ଧାର ପ୍ରକଳ୍ପ ପାଇଁ ୪୯ ଜଣ ଠିକାଦାର କୋଟେସନ ଦେଇଥିଲେ । ୧୫ ପ୍ରତିଶତ କମ ମୂଲ୍ୟରେ କାମ କରିବା ପାଇଁ ସର୍ବନିମ୍ନ କୋଟେସନ ଦେଇଥିବା ଠିକାଦାରଙ୍କ ମଧ୍ୟରେ ଧର୍ମଗୁଳା ପକାଯାଇ ଠିକାଦାର ନିୟୋଜନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ଡେଲାଙ୍ଗ ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଏହି କେନାଲ ପୁନଃରୁଦ୍ଧାର ଭୂ-ପୂଜନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ସହ ଜଳ ସମ୍ପଦ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ତନୁଜ କିଶୋର ରାଉତ, ସହକାରୀ ଯନ୍ତ୍ରୀ ଶିଶିର କାନ୍ତ ସାହୁ, ନିତ୍ୟାନନ୍ଦ ବେହେରା, ସ୍ଥାନୀୟ ସମିତି ସଭ୍ୟା ସବିତା ରାଉତରାୟ, ଲଡ଼ୁ କିଶୋର ରାୟ, ସୁଧାଂଶୁ ଶେଖର ପରିଡା, ଶ୍ୱେତ ନାୟକ, ନିର୍ବାହୀ ଠିକାଦାର ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଶାସକ ଦଳର ସ୍ଥାନୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.