ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ-୨୦୨୬ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଓଡିଶାର ବରପୁତ୍ର ମାନଙ୍କ ସ୍ମୃତିଚାରଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସର୍ବୋପରି ଗଞ୍ଜାମ ଜିଲ୍ଲାର ଅନେକ ରାଷ୍ଟ୍ରନେତା, ବୀରଯୋଦ୍ଧା,ପାଇକ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅବଦାନ ସାଂଗକୁ ଗଞ୍ଜାମ ଜିଲ୍ଲାର ବହୁ କର୍ଣ୍ଣଧାରଙ୍କ ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେମାନଙ୍କର ବଳିଷ୍ଠ ଉଦ୍ୟମ ଓ ପ୍ରୟାସରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଉତ୍କଳ ପ୍ରଦେଶ ଗଠନ ହେବାର ସମ୍ଭବପର ହୋଇ ପାରିଲା ବୋଲି ମତପ୍ରକାଶ ପାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ସକାଳ ୭ଘଣ୍ଟାରେ ପ୍ରଭାତ ଫେରି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଗଞ୍ଜାମ ଜିଲ୍ଲାପରିଷଦ ର ସିଡିଓ ସମୀର ପ୍ରଧାନ ଯୋଗଦେଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଭକ୍ତିପୂତ ସମ୍ମାନ ଜଣାଇଥିଲେ । ସେହିପରି ଅନୁଷ୍ଠାନିକ ସଭା ପ୍ରାରମ୍ଭରେ ବରପୁତ୍ରଙ୍କ ଫାଟଚେିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତୀ ସମ୍ମୁଖରେ ଅତିଥୀମାନଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ ସହ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା । ଛତ୍ରପୁର କଳା ବିକାଶ କେନ୍ଦ୍ର ସୌଜନ୍ୟରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଗଣେଷ ପଟ୍ଟନାୟକଙ୍କ ଦ୍ୱାର ପ୍ରଯୋଜିତ ବନ୍ଦେ ଉତ୍କଳ ଜନନୀ ଗୋଷ୍ଠୀ ସଙ୍ଗୀତ ପରିବେଷଣ ହୋଇ କାର୍ଯ୍ୟକ୍ରମକୁ ଅଧିକା ଆକର୍ଷିତ କରିଥିଲା । ଆୟୋଜିତ ସଭାରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆୟୋଜିତ ସଭା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ-ଜିଲ୍ଲାପାଳ(ସାଧାରଣ) ଡ଼ଃ. ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ଼ଃ. ଭି. ରାଜେନ୍ଦ୍ର ରାଜୁ ଯୋଗଦେଇ ଓଡିଶା ପ୍ରଦେଶ ଗଠନ ସମ୍ବନ୍ଧରେ ସବିଶେଷ ତଥ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା-ପିଡି ସୁନୀଲ କୁମାର କେରକେଟ୍ଟା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଆଦିତୀ ଆଚାର୍ଯ୍ୟ ଯୋଗଦେଇ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଗୌରବମୟ ବୀରତ୍ୱର ଗାଥା ସମ୍ପର୍କରେ ବଖାଣି ଥିଲେ । ସଭା ପରେ କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ଆନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛତ୍ରପୁର କଳା ବିକାଶ କେନ୍ଦ୍ର ପକ୍ଷରୁ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଏବଂ ଡି.ଏସ.ଆର୍. କଲଚରରାଲ ଏଣ୍ଡ ଚାରିଟେବଲ ଟ୍ରଷ୍ଟର ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଆଦି ପରିବେଷଣ ହୋଇ ଦର୍ଶକଙ୍କୁ ବିମୁଗ୍ଧ କରିଦେଇଛି ।
Next Post